ପ୍ରାକୃତିକ ବାଷ୍ପ ୪୦% ମହଙ୍ଗା

ନୂଆଦିଲ୍ଲୀ,୧।୧୦: ବିଦ୍ୟୁତ୍‌ ଉତ୍ପାଦନ, ସାର ପ୍ରସ୍ତୁତି ପାଇଁ ବ୍ୟବହୃତ ତଥା ଅଟୋମୋବାଇଲ୍ସକୁ ଗତି ଦେବା ପାଇଁ ସିଏନ୍‌ଜିରେ ପରିବର୍ତ୍ତିତ ହେଉଥିବା ପ୍ରାକୃତିକ ବାଷ୍ପ (ନାଚୁରାଲ ଗ୍ୟାସ୍‌) ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଅନ୍ତର୍ଜାତୀୟ ବଜାରରେ ନାଚୁରାଲ ଗ୍ୟାସ୍‌ ମୂଲ୍ୟ ବୃଦ୍ଧି ହେତୁ ଶୁକ୍ରବାର ଭାରତରେ ଏହା ୪୦% ବଢ଼ିଛି। ଏହାକୁ ପାର୍ବଣ ଋତୁରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ବୋଲି କୁହାଯାଉଛି। ପୁରୁଣା କ୍ଷେତ୍ରଗୁଡ଼ିକରୁ ଭାରତର ପ୍ରାୟ ଦୁଇ-ତୃତୀୟାଂଶ ଗ୍ୟାସ୍‌ ଉତ୍ପାଦନ ହୋଇଥାଏ। ଏହି ଉତ୍ପାଦନ ଦର ପୂର୍ବରୁ ପ୍ରତି ନିୟୁତ ବ୍ରିଟିଶ୍‌ ଥର୍ମାଲ ୟୁନିଟ୍‌ ୬.୧ ଡଲାର ଥିବାବେଳେ ଏବେ ୮.୫୭ ଡଲାରକୁ ବୃଦ୍ଧି ପାଇଛି। ଏଥିଯୋଗୁ ପ୍ରାକୃତିକ ବାଷ୍ପ ମହଙ୍ଗା ହୋଇଥିବା ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ୍‌ ପ୍ଲାନିଂ ଆଣ୍ଡ ଅନାଲିସିସ୍‌ ସେଲ୍‌ (ପିପିଏସି) ପକ୍ଷରୁ ଜାରି ଏକ ଅର୍ଡରରେ କୁହାଯାଇଛି। ନାଚୁରାଲ ଗ୍ୟାସ୍‌ ଦର ବୃଦ୍ଧି ଫଳରେ ଲିକ୍ୱିଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌ (ଏଲ୍‌ପିଜି) ମୂଲ୍ୟ ମଧ୍ୟ ବଢ଼ିବା ଆଶଙ୍କା କରାଯାଉଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଏବଂ ଏହାର ସହଯୋଗୀ ସଂସ୍ଥାଗୁଡ଼ିକ ଅପରେଟ୍‌ କରୁଥିବା ନୂଆ ଗ୍ୟାସ୍‌ ଫିଲ୍ଡରେ ମଧ୍ୟ ଏହା ୯.୯୨ ଡଲାରରୁ ୧୨.୬ ଡଲାରକୁ ବଢ଼ିଛି। ଅଏଲ୍‌ ଆଣ୍ଡ ନାଚୁରାଲ ଗ୍ୟାସ୍‌ (ଓଏନ୍‌ଜିସି)ର ମୁମ୍ବାଇ କୋଷ୍ଟ୍‌ ଭଳି ବେସିନ୍‌ ଫିଲ୍ଡ ତଥା କେ.ଜି. ବେସିନ୍‌ ଭଳି ଫ୍ରି-ମାର୍କେଟ ଏରିଆରେ ଗ୍ୟାସ୍‌ ଦର ସର୍ବୋଚ୍ଚ ସୀମାରେ ପହଞ୍ଚତ୍ଛି। ୨୦୧୯ ଏପ୍ରିଲ ପରେ ଏହା ହେଉଛି ତୃତୀୟ ମୂଲ୍ୟ ବୃଦ୍ଧି। ଗ୍ୟାସ୍‌ ହେଉଛି ବିଦ୍ୟୁତ୍‌ ଉତ୍ପାଦନ ଓ ସାର ପ୍ରସ୍ତୁତି ପାଇଁ ଏକ କଞ୍ଚାମାଲ। ଏହାକୁ କମ୍ପୋଜ୍‌ଡ୍‌ ନାଚୁରାଲ ଗ୍ୟାସ୍‌ (ସିଏନ୍‌ଜି)ରେ ପରିବର୍ତ୍ତିତ କରି ଏବଂ ରୋଷେଇ ପାଇଁ ପାଇପ୍‌ଲାଇନ୍‌ରେ ଘରକୁ ପଠାଯାଇଥାଏ। ଏହି ଦର ବୃଦ୍ଧିର ପ୍ରଭାବ ସିଏନ୍‌ଜି ଏବଂ ପାଇପ୍‌ଡ ନାଚୁରାଲ ଗ୍ୟାସ୍‌ (ପିଏନ୍‌ଜି) ଉପରେ ପଡ଼ିବ, ଯାହାକି ଗତ ବର୍ଷକ ମଧ୍ୟରେ ୭୦%ରୁ ଅଧିକ ମହଙ୍ଗା ହୋଇସାରିଛି।
ପ୍ରକାଶ ଯେ, କେନ୍ଦ୍ର ସରକାର ପ୍ରତି ୬ ମାସରେ ଗ୍ୟାସ୍‌ ଦର ନିର୍ଦ୍ଧାରଣ କରିଥାଆନ୍ତି। ଗ୍ୟାସ୍‌ ବଳକା ରାଷ୍ଟ୍ର ଆମେରିକା, କାନାଡା ଓ ରୁଷିଆରୁ ଆମଦାନୀ ହେଉଥିବା ପ୍ରାକୃତିକ ବାଷ୍ପର ମୂଲ୍ୟ ଆଧାରରେ ଏପ୍ରିଲ ୧ ଓ ଅକ୍ଟୋବର ପହିଲାରେ ଏହାର ଦର ଧାର୍ଯ୍ୟ ହୋଇଥାଏ। ବିଶ୍ୱ ବଜାରରେ ଏହି ଦର ଆକାଶଛୁଅଁା ହୋଇଛି। ସଦ୍ୟ ମୂଲ୍ୟ ବୃଦ୍ଧି ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧିର କାରଣ ହୋଇପାରେ।