Steel oil pipes from refinery in desert during sunset.
ଭୁବନେଶ୍ୱର,୧।୪(ଅନୁରାଧା ମହାରଣା): ଲଗାତର ତୃତୀୟଥର ପାଇଁ ପ୍ରାକୃତିକ ଗ୍ୟାସ୍ର ମୂଲ୍ୟ ହ୍ରାସ ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ସୂଚନା ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କେଜି ଡି ବ୍ଲକରୁ ବାହାରୁଥିବା ଗ୍ୟାସର ମୂଲ୍ୟ ବର୍ତ୍ତମାନ ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟ(ଏମ୍ବିଟିୟୁ) ପ୍ରତି ୯.୮୭ ଡଲାରରେ ପରିଣତ ହେବ। ଘରୋଇ ପ୍ରାକୃତିକ ଗ୍ୟାସ ମୂଲ୍ୟ ପ୍ରତିବର୍ଷ ଏପ୍ରିଲ ୧ ଏବଂ ଅକ୍ଟୋବର ୧ରେ ସ୍ଥିର କରାଯାଉଥିତ୍ବାବେଳେ ଅନ୍ତର୍ଜାତୀୟ ଗ୍ୟାସ ମୂଲ୍ୟ ହ୍ରାସ ହେତୁ ମୂଲ୍ୟ ହ୍ରାସ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ମୂଲ୍ୟ ହ୍ରାସ ସିଏନ୍ଜି ଏବଂ ପିଏନ୍ଜି ମୂଲ୍ୟ ଉପରେ କୌଣସିି ପ୍ରଭାବ ପକାଇବ ନାହିଁ।
ରବିବାର ଏକ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଘରୋଇ ପ୍ରାକୃତିକ ଗ୍ୟାସର ହାର ଏମବିଟିୟୁ ପ୍ରତି ୯.୯୬ ଡଲାର ଥିଲା। ଏପ୍ରିଲ ୧ରୁ ଏଥିରେ ସାମାନ୍ୟ ହ୍ରାସ ହେବା ପରେ ଏବଂ ଆସନ୍ତା ୬ ମାସ ପାଇଁ ନୂତନ ହାର ୯.୮୭ ଡଲାର ରହିବ। କ୍ରମାଗତ ତୃତୀୟ ଥର ପାଇଁ ଏହି ମୂଲ୍ୟ ହ୍ରାସ ପାଇଥିବାବେଳେ ୨୦୨୩ ଅକ୍ଟୋବର ୧ରେ ସରକାର ଗ୍ୟାସ ଦରରେ ୧୮ ପ୍ରତିଶତ ହ୍ରାସ କରିଥିଲେ। ସରକାର ଗ୍ୟାସର ମୂଲ୍ୟ ୧୨.୧୨ ଡଲାରରୁ ୯.୯୬ ଡଲାରକୁ ହ୍ରାସ କରିଥିଲେ। ଏହାର ପୂର୍ବଥର ୧୨.୪୬ ଡଲାରରୁ ୧୨.୧୨ ଡଲାରକୁ ହ୍ରାସ କରାଯାଇଥିଲା।
ଗୋଟିଏ ଆର୍ଥିକ ବର୍ଷରେ ଘରୋଇ ପ୍ରାକୃତିକ ଗ୍ୟାସ ମୂଲ୍ୟ ଦୁଇଥର ସ୍ଥିର କରାଯାଉଥିବାବେଳେ ଏହି ଗ୍ୟାସ ପରେ ଯାନରେ ବ୍ୟବହାର ପାଇଁ ସିଏନଜି ଏବଂ ରୋଷେଇ ଘରେ ବ୍ୟବହାର ପାଇଁ ପିଏନ୍ଜିରେ ରୂପାନ୍ତରିତ ହୁଏ । ବିଦ୍ୟୁତ୍ ଉତ୍ପାଦନ ଏବଂ ସାର ଉତ୍ପାଦନରେ ମଧ୍ୟ ପିଏନଜି ବ୍ୟବହୃତ ହୁଏ।୨୦୨୩ ମସିହାରେ ଅନ୍ତର୍ଜାତୀୟ ହାର ହ୍ରାସ ହୋଇଥିବାରୁ ଭାରତରେ ଗ୍ୟାସର ମୂଲ୍ୟ ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ଦେଶର ୬.୩ ପ୍ରତିଶତ ଶକ୍ତି ଆବଶ୍ୟକତା ପ୍ରାକୃତିକ ଗ୍ୟାସ ଦ୍ୱାରା ପୂରଣ ହେଉଛି। ଏହିକ୍ରମରେ ୨୦୩୦ ସୁଦ୍ଧା ସରକାର ଏହି ସଂଖ୍ୟାକୁ ୧୫ ପ୍ରତିଶତ କରିବାକୁ ଚେଷ୍ଟା କରୁଛନ୍ତି।