ଭବାନୀପାଟଣାରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା, ସାମିଲ ହେଲେ…

ଭବାନୀପାଟଣା,୨୫।୧୧(ଉତ୍ତମ କୁମାର ଦାଶ): ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ସୋମବାର ଭବାନୀପାଟଣାରେ ଜିଲାସ୍ତରୀୟ ରାଷ୍ଟ୍ରୀୟ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ, ଜିଲା କ୍ରୀଡ଼ା ବିଭାଗ, ଜିଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମା’ମାଣିକେଶ୍ୱରୀଙ୍କ ଫଟୋ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଏକ ଭାରତ ଆତ୍ମା ନିର୍ଭର ଭାରତର ଶପଥପାଠ କରାଯାଇଥିଲା। ପରେ ଅତିଥିମାନଙ୍କ ଦ୍ୱାରା ପତାକା ଦେଖାଇ ଏକତା ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଏହି ପଦଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଜିଲା କାରାଗାର, ନୂଆ ବସଷ୍ଟାଣ୍ଡ, ଘୋଡାଘାଟ, ସତ୍ୟମ ସିନେମା, ଦୟାନିଧି ଛକ, ମାଣିକେଶ୍ୱରୀ ଛକ ଦେଇ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ପରେ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଏକ ସମାବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକତା ରଥ ମାଧ୍ୟମରେ ବନ୍ଦେ ମାତରମ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରି ସମସ୍ତେ ଜାତୀୟ ପତାକା ହାତରେ ଧରି ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ, କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଭବାନୀପାଟଣା ଉପଜିଲାପାଳ ପ୍ରଭାତ କୁମାର ପରିଡା, ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଉପକୁଳ ସଚିବ ଡ. ଜୟଦେବ ସାହୁ, ୬୪ ବାଟାଲିୟନ ଡେପୁଟି କମାଣ୍ଡେଣ୍ଟ ସଚିଦାନନ୍ଦ ପାତ୍ର, ଭାଜପା ଜିଲା ସଭାପତି ଯୁଗଳ କିଶୋର ପୋଡ଼ ପ୍ରମୁଖ ଯୋଗଦେଇ ଥିଲେ। ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଜିଲା ଯୁବ ବ୍ୟାପାର ଅଧିକାରୀ ପ୍ରସନ୍ନ ମେହେର ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରୁଥିବାବେଳେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସେହିପରି ଜିଲା ଶାରିରୀକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ଶିଶୁ ସୁରକ୍ଷା ୟୁନିଟର ଅଂଶୁମାନ ବାବୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ପୋଲିସ ବଳ, ଛାତ୍ରୀଛାତ୍ର, ସ୍ବୟଂ ସହାୟକ ଗୋଷ୍ଠୀ, ଜନସାଧାରଣ ଯୋଗଦେଇଥିଲେ। ଏଥି ଉପଲକ୍ଷେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

 

Dharitri – The Largest & Most Trusted Odia Daily

Share
Tags: odisha