ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣେ ମାତ୍ର ୩ ବର୍ଷ ବୟସର ଶିଶୁ ପୁଅ ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରି ସାରା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି ଶିଶୁଟି ହେଉଛନ୍ତି ଶାସନ ସାହିର ମୋକ୍ଷିତ ମିଶ୍ର (ମଣିମାମୟ ମିଶ୍ର ଓ ଦୀପିକା ମିଶ୍ରଙ୍କ ପୁତ୍ର ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରୀଶ ଚନ୍ଦ୍ର ମିଶ୍ରଙ୍କ ନାତି)।
ଶିଶୁ ମୋକ୍ଷିତ ମିଶ୍ର ସୌର ଜଗତର ସମସ୍ତ ଗ୍ରହମାନଙ୍କୁ ସଠିକ୍ ଭାବେ ଚିହ୍ନଟ କରି ସେମାନଙ୍କ ନାମ ନିର୍ଭୁଲ ଭାବେ କହିବାର ବିରଳ ତଥା ବିଚକ୍ଷଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି।ଶିଶୁଟିର ଏହି ଅସାଧାରଣ ସଫଳତା ପାଇଁ ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଚାଇଲ୍ଡ ଡ୍ରିମ୍ ବୁଷ୍ଟର ହବ୍ ‘ବୁକ୍ ଅଫ୍ ରେକର୍ଡସ୍’ ଦ୍ୱାରା ସମ୍ମାନିତ ଓ ପ୍ରଶଂସିତ କରାଯାଇଛି।
ମୋକ୍ଷିତଙ୍କ ଏହି ବିଚକ୍ଷଣ ମେଧାଶକ୍ତି ଏବଂ ସଫଳତା ପଛରେ ତାଙ୍କର ଆଈ ସ୍ମିତା ମିଶ୍ର, ମାଉସୀ ଅଙ୍କିତା ମିଶ୍ର ଏବଂ ମାମୁଁ ପ୍ରତ୍ୟୁଷ ମିଶ୍ରଙ୍କ ପ୍ରେରଣା ରହିଥିବା ଜଣାପଡ଼ିଛି।
ଏହି ଖବର ପ୍ରଚାରିତ ହେବା ପରେ ଶିଶୁ ମୋକ୍ଷିତଙ୍କୁ ଦେଖିବା ପାଇଁ ଗିରୀଶ ଚନ୍ଦ୍ର ମିଶ୍ରଙ୍କ ବାସଭବନରେ ଭିଡ଼ ଜମିଛି ଏବଂ ବିଭିନ୍ନ ମହଲରୁ ଶିଶୁଟିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜ୍ଞାପନ କରାଯାଉଛି।