ଜାତୀୟ ମାଷ୍ଟର ଗେମ୍ସ: କଳାହାଣ୍ଡି ଖେଳାଳିଙ୍କ କମାଲ, ଜିତିଲେ ୬ ସ୍ବର୍ଣ୍ଣ,୩ ରୌପ୍ୟ ପଦକ

ଭବାନୀପାଟଣା,୯।୩(ଉତ୍ତମ କୁମାର ଦାଶ): ମାଷ୍ଟର ଗେମ୍ସ ଫେଡେରେଶନ ଇଣ୍ଡିଆ ପକ୍ଷରୁ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମଠାରେ ଗତ ୬ରୁ ୯ ତାରିଖ ଯାଏ ୭ମ ଜାତୀୟ ମାଷ୍ଟର ଗେମ୍ସ ୨୦୨୪-୨୫ ଅନୁଷ୍ଠତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ଜଣ ବରିଷ୍ଠ ଖେଳାଳି ଅଂଶଗ୍ରହଣ କରି କମାଲ ଦେଖାଇଛନ୍ତି। ସେମାନେ ୬ଟି ସ୍ବର୍ଣ୍ଣ ଓ ୩ଟି ରୌପ୍ୟ ପଦକ ବିଜେତା ହୋଇଛନ୍ତି। ମାଷ୍ଟର ଖେଳାଳି ଦୁର୍ଗାଚରଣ ମିଶ୍ର ଶଟଫୁଟ, ଡିସ୍‌କସ ଥ୍ରୋ ଓ ହେମର ଥ୍ରୋରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି। ସେହିପରି ଟି.ରାମକୃଷ୍ଣ ୫ କିମି ୱାକ, ୮୦୦ ମିଟର ଦୌଡ ଓ ୪୦୦ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି। ସହରର ମାଷ୍ଟର ଖେଳାଳି ଭବାନୀ ଶଙ୍କର ପଣ୍ଡା ୫ କିମି ୱାକ, ଲମ୍ବଡିଆଁ ଓ ଉଚ୍ଚ ଡିଆଁରେ ରୌପ୍ୟ ପଦକ ବିଜେତା ହୋଇଛନ୍ତି। ଜାତୀୟ ମାଷ୍ଟର ଗେମ୍ସରେ ପଦକ ବିଜେତା କଳାହାଣ୍ଡିର ଏହି ତିନି ଜଣ ମାଷ୍ଟର ଖେଳାଳିଙ୍କୁ ଲୋକ ସଭା ଏମ୍‌ପି ମାଳବିକା ଦେବୀ, ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ବରିଷ୍ଠ ନାଗରିକ ସଂଘ କଳାହାଣ୍ଡିର ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀ, କାର୍ଯ୍ୟକାରୀ ସଭାପତି ମଳୟ କୁମାର ମୁଣ୍ଡ ଓ ସୁରେଶ ଚନ୍ଦ୍ର ପଟ୍ଟନାୟକ, ବ୍ରାହ୍ମଣ ସମାଜ କଳାହାଣ୍ଡିର ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ଓଡ଼ିଶା ଆଥେଲେଟିକ ଆସୋସିଏଶନ ସଭାପତି ତଥା କଳାହାଣ୍ଡି ଜିଲା କ୍ରୀଡ଼ା ସଂସ୍ଥାର ସାଧାରଣ ସମ୍ପାଦକ ଜଗ ମୋହନ ପଟ୍ଟନାୟକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ଶରତ ଚନ୍ଦ୍ର ନାୟକ, ସମ୍ପାଦକ ରାଜେନ୍ଦ୍ର ସାହୁ ସମେତ ବହୁ କ୍ରୀଡ଼ାପ୍ରେମୀ ଅଭିନନ୍ଦନ ଜଣାଇଛନ୍ତି।