ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ଭଞ୍ଜନଗର ହେଉଛି ରାଜ୍ୟର ଏକ ବଡ ଉପଖଣ୍ଡ। ଜିଲା ସଂଖ୍ୟା ବୃଦ୍ଧି ସମୟରେ ଏହି ଉପଖଣ୍ଡ ଜିଲା ମାନ୍ୟତା ପାଇବାର ଥିଲା। କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କୌଣସି କାରଣରୁ ଉପଖଣ୍ଡବାସୀଙ୍କ ଦାବିକୁ ଗୁରୁତ୍ତ୍ୱ ଦେଇ ନ ଥିଲେ। ଅଞ୍ଚଳବାସୀ ଘୁମୁସର ଜିଲା ମାନ୍ୟତା ପାଇବାରୁ ବଞ୍ଚିତ ହେଲେ। ଏବେବି ଏହି ସହରର ଅନେକ ବିକାଶ ଆବଶ୍ୟକ କରୁଛି। ସେଥିମଧ୍ୟରେ ଜାତୀୟସ୍ତରରେ ଏକ ଖେଳ ପଡିଆ ଦରକାର। ସହରରେ ଥିବା ପଡ଼ିଆଟି ଏକ ବେସରକାରୀ ଅନୁଷ୍ଠାନ ହାତରେ। ଉକ୍ତ ପଡ଼ିଆର ବର୍ତ୍ତମାନ କମିଟି କର୍ମକର୍ତା କିଏ ଅଛନ୍ତି ସହରବାସୀ ଜାଣନ୍ତି ନାହିଁ। ଅନ୍ୟପଟେ କେଏସୟୁବି କଲେଜ ପଡିଆରେ ମଧ୍ୟ ରାଜ୍ୟ ଓ ଜାତୀୟ ସ୍ତରର ଖେଳ ହେଲା ଭଳି ଭିତ୍ତିଭୂମି ନାହିଁ। ଭଞ୍ଜନଗର ଅଞ୍ଚଳର ଅନେକ ଫୁଟବଲ, କ୍ରିକେଟ କ୍ରୀଡାବିତ୍ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ଅନ୍ୟାନ୍ୟ କ୍ରୀଡାରେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ଭାଗନେଇ ଗୌରବ ଆଣିଛନ୍ତି। ଭଞ୍ଜନଗରରେ ଜାତୀୟ ସ୍ତରର ଖେଳ ପଡିଆ ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉଦ୍ୟମ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟକୁ ଲାଗି ଏକ ଜାତୀୟ ସ୍ତରର ଖେଳ ପଡିଆ ହେବ। ତେଣୁ ବିଧାୟକ ନାୟକ ଗୁରୁବାର କଲେଜ ପରିଦର୍ଶନରେ ଆସି କ’ଣ ସବୁ ବିକାଶ ହୋଇପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ୧୬ ତାରିଖରେ କଲେଜରେ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅଛି। ସେଥିରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଉକ୍ତ କାର୍ଯ୍ୟକ୍ରମ ଯେଭଳି ସଫଳ ହେବ ବିଧାୟକ ସମୀକ୍ଷା କରିଥିଲେ। ବିଧାୟକଙ୍କ ଗସ୍ତ ବେଳେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ ରଥ, ହର ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।