ଦିଗପହଣ୍ଡିରେ ଜାତୀୟ ଆଇନ ସେବା ଦିବସ ପାଳିତ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ରବିବାର ଆଙ୍କୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଗ୍ରାମବାସୀଙ୍କୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଥିବା ମୁକ୍ତ ଆଇନ ସହାୟତା ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା। ଏହା ସହିତ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ସମେତ ବିଭିନ୍ନ ଆଇନଗତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ତାଲୁକା ଆଇନ ସହାୟତା କମିଟିର ସମ୍ପାଦକ ତଥା କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହା ବ୍ୟତୀତ ସ୍ଥାନୀୟ ସରପଞ୍ଚ ରୀନା ପ୍ରଧାନ, ଓକିଲ ସଂଘର ସମ୍ପାଦକ ପ୍ରଦୀପ କୁମାର ନାୟକ, ଉପସଭାପତି ସନ୍ତୋଷ କୁମାର ସାହୁ, ପୂର୍ବତନ ସମ୍ପାଦକ ହେମନ୍ତ କୁମାର ପାଣିଗ୍ରାହୀ ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଚାର ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share