Categories: HomeHome Left

ନ୍ୟାଶନାଲ ହେରାଲ୍ଡ ମାମଲା: ସୋନିଆ, ରାହୁଲଙ୍କ ନାଁରେ ଇଡିର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୬।୪:ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍ବତନ୍ତ୍ର ଅଦାଲତରେ ଚାର୍ଜଶିଟ୍‌ ଦାଖଲ କରିଛି। ଉକ୍ତ ଚାର୍ଜଶିଟ୍‌ରେ କଂଗ୍ରେସ ଏମ୍‌ପି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଦଳର ଦରିଆପାରି ଶାଖା ମୁଖ୍ୟ ସାମ୍‌ ପିଟ୍ରୋଡାଙ୍କ ସମେତ ଦଳ ସହ ସମ୍ପୃକ୍ତ ସୁମନ ଦୁବେ, ୨ଟି କମ୍ପାନୀ ୟଙ୍ଗ୍‌, ଇଣ୍ଡିଆ ଏବଂ ଡୋଟେକ୍ସ ମର୍ଚାଣ୍ଡାଇଜ୍‌ ପ୍ରା.ଲିଃ ଏବଂ ସୁନିଲ ଭଣ୍ଡାରୀଙ୍କ ନାଁ ରହିଛି। ୨୫ରେ ଏହା ଉପରେ ଶୁଣାଣି ହେବ। ସରକାରୀ କମ୍ପାନୀ ଆସୋସିଏଟେଡ୍‌ ଜର୍ନାଲ୍ସ ଲିଃ (ଏଜେଏଲ୍‌)ର ୯୯% ଅଂଶଧନକୁ ଘରୋଇ କମ୍ପାନୀ ୟଙ୍ଗ୍‌ ଇଣ୍ଡିଆକୁ ଟ୍ରାନ୍ସଫର କରି ୨,୦୦୦ କୋଟି ଟଙ୍କା ହଡ଼ପ କରିବା ପାଇଁ କଂଗ୍ରେସ ନେତାମାନେ ଆପରାଧିକ ଷଡ଼ଯନ୍ତ୍ର କରିଥିଲେ ବୋଲି ଚାର୍ଜଶିଟ୍‌ରେ ଉଲ୍ଲେଖ କରାଯାଇଛି। ୟଙ୍ଗ୍‌ ଇଣ୍ଡିଆରେ ସୋନିଆ ଏବଂ ରାହୁଲ ସର୍ବାଧିକ ଅଂଶୀଦାର। ଚାର୍ଜଶିଟ୍‌ରେ ସୋନିଆଙ୍କୁ ପ୍ରଥମ ଓ ରାହୁଲଙ୍କୁ ଦ୍ୱିତୀୟ ଅଭିଯୁକ୍ତ କରାଯାଇଛି।
ସୋନିଆ ଏବଂ ରାହୁଲଙ୍କ ନାଁରେ ଇଡିର ଚାର୍ଜଶିଟ୍‌କୁ ବିରୋଧ କରି କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି। ଦେଶର ସମସ୍ତ ଇଡି କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯିବ। ରାଜ୍ୟସ୍ତରୀୟ ବିକ୍ଷୋଭରେ ଦଳୀୟ ବିଧାୟକ, ଏମ୍‌ପି, ଛାମୁଆ ସଂଗଠନର କାର୍ଯ୍ୟକର୍ତ୍ତା, କଂଗ୍ରେସ କର୍ମୀମାନେ ସାମିଲ ହେବେ ବୋଲି ଦଳ କହିଛି। ଭୟ ଓ ଅତ୍ୟାଚାର ରାଜନୀତି ବିରୋଧରେ ଲଢ଼ିବା ପାଇଁ ଆମର ମିଳିତ ସଂକଳ୍ପକୁ ବିକ୍ଷୋଭ ଜରିଆରେ ପରିପ୍ରକାଶ କରାଯିବ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ କହିଛନ୍ତି।