ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିରେ ସହରର ପ୍ରଥମ ନାଗରିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି।
ଦିଗପହଣ୍ଡି ଏନଏସି (NAC) କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜନଗଣନା କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ (ସ୍ବଗଣନା) ଏପ୍ରିଲ ୨ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ ନାଗରିକମାନେ ନିଜେ ଅନଲାଇନ ମାଧ୍ୟମରେ ତଥ୍ୟ ପ୍ରଦାନ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ (ଗୃହଗଣନା) ଏପ୍ରିଲ ୧୬ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ପରିଗଣନାକାରୀମାନେ ଘରକୁ ଘର ବୁଲି ଗୃହଗଣନା କାର୍ଯ୍ୟ କରିବେ।
କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ଏନଏସି ର ପ୍ରଥମ ନାଗରିକ ତଥା ନଗରପାଳ ପ୍ରଫୁଲ୍ଲ ପଣ୍ଡା ନିଜ ମୋବାଇଲ ସାହାଯ୍ୟରେ ସେନସସ୍ ୱେବସାଇଟ ମାଧ୍ୟମରେ ନିଜ ଗୃହର ସମସ୍ତ ତଥ୍ୟ ପ୍ରଦାନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାଙ୍କୁ ଅନୁସରଣ କରି ଅନ୍ୟ କାଉନସିଲର ଓ ଅଧିକାରୀମାନେ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏହି ସ୍ବଗଣନା କାର୍ଯ୍ୟକ୍ରମରେ କାଉନସିଲର ସୁଶାନ୍ତ କୁମାର ପାତ୍ର, ଦୀପକ କୁମାର ମିଶ୍ର, ସୁନିଲ କୁମାର ପଣ୍ଡାଙ୍କ ସମେତ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।
ସହରର ସମସ୍ତ ନାଗରିକ ଏହି ସ୍ବଗଣନା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁରୋଧ କରିଛନ୍ତି। ସଠିକ ତଥ୍ୟ ପ୍ରଦାନ କରି ଦେଶ ଓ ରାଜ୍ୟର ବିକାଶ ଧାରାରେ ସହଯୋଗ କରିବାକୁ ସେ ସହରବାସୀଙ୍କୁ ଆହ୍ବାନ ଦେଇଛନ୍ତି।
Dharitri – Odisha’s No.1 Odia Daily