ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ଅଫିସ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ ର ତ୍ରିଦିବସୀୟ ପ୍ରଥମ ପର୍ଯ୍ୟାୟ ପରିଗଣନାକାରୀ ଓ ସୁପରଭାଇଜର ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ ଚାର୍ଜ ଅଫିସର ତଥା ଦିଗପହଣ୍ଡି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଉପସ୍ଥିତ ରହି ସମସ୍ତ ପରିଗଣନାକାରୀ ମାନଙ୍କୁ ଉତ୍ସାହିତ କରିବା ସହ ତାଲିମ ଅନୁସାରେ ସଠିକ୍ ରୂପେ ଗଣନାକାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।
ଏନଏସି କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ ମୃତ୍ୟୁଞ୍ଜୟ ସାହୁ ମାଷ୍ଟର ଟ୍ରେନର ଭାବେ ତାଲିମ ପ୍ରଦାନ କରିଥିଲେ। ପରେ ପରିଗଣନାକାରୀ , ସୁପରଭାଇଜର ଓ ପରିଦର୍ଶକ ବୃନ୍ଦ ସହରର କେତେକ ସାହି ବସ୍ତିର ଘରକୁ ଘର ବୁଲି ପ୍ରାକ୍ ପ୍ରସ୍ତୁତି ସ୍ୱରୂପ ନମୂନା ପ୍ରଦର୍ଶନ କରିଥିଲେ। ଗତ ୨୦୧୧ ପରେ ଦୀର୍ଘ ୧୫ ବର୍ଷ ପରେ ପ୍ରଥମଥର ଡିଜିଟାଲ ଜନଗଣନା ହେବାକୁ ଥିବାରୁ ଆସନ୍ତା ଏପ୍ରିଲ୍ ୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ମୋବାଇଲ ଆପ୍ ଜରିଆରେ ସହରର ସମସ୍ତ ବାସିନ୍ଦା ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଜନଗଣନା ପୋର୍ଟାଲ ରେ ଲଗ୍ ଇନ୍ କରି ନିଜର ସମସ୍ତ ବିବରଣୀ ଅନଲାଇନ୍ ରେ ସଠିକ୍ ଓ ସ୍ୱଚ୍ଛ ତଥ୍ୟ ଦାଖଲ ସହ ଗୃହ ସଂଖ୍ୟାକରଣ , ହାଉସ ଲିଫ୍ଟିଂ ସମ୍ପର୍କିତ ସମସ୍ତ ତଥ୍ୟ ନିର୍ଭୁଲ ଭାବେ ଅପଲୋଡ଼ କରିବା ସହ ଜନସାଧାରଣ ୩୩ ଟି ପ୍ରଶ୍ନର ସ୍ଵୟଂ ତଥ୍ୟ ପ୍ରଦାନ କରିବେ।ଏପ୍ରିଲ ୧୬ ତାରିଖ ଠାରୁ ମେ ୧୫ ପର୍ଯ୍ୟନ୍ତ ପରିଗଣନାକାରୀ ମାନେ ଘରକୁ ଘର ଯାଇ ଯାଇ ତଥ୍ୟ ସଂଗ୍ରହ କରିବା କାର୍ଯ୍ୟକ୍ରମ ରହିଛି।