India's Thangarasu Natarajan bowls on day one of the fourth cricket Test match between Australia and India at the Gabba in Brisbane on January 15, 2021. (Photo by David Kapernick / AFP) / --IMAGE RESTRICTED TO EDITORIAL USE - STRICTLY NO COMMERCIAL USE-- (Photo by DAVID KAPERNICK/AFP via Getty Images)
ବ୍ରିସ୍ବେନ୍,୧୬।୧(ପି.ଟି.): ୟର୍କର ସ୍ପେଶାଲିଷ୍ଟ ଥଙ୍ଗାରାସୁ ନଟରାଜନ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ପଦାର୍ପଣ କରି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ନେଟ୍ ବୋଲର ହିସାବରେ କୌଣସି ଗସ୍ତରେ ଯାଇ ସବୁ ୩ଟି ଯାକ ଫର୍ମାଟରେ ପଦାର୍ପଣ କରିବାର ସୁଯୋଗ ହାସଲ କରିଛନ୍ତି।
ଭାରତୀୟ ଦଳର ଅଧିକାଂଶ ଖେଳାଳି ଆହତ ହୋଇ ସିରିଜରୁ ବାଦ୍ପଡିବା ପରେ ତାମିଲନାଡୁର ୨୯ ବର୍ଷୀୟ ନଟରାଜନଙ୍କୁ ଏହି ମ୍ୟାଚ୍ରେ ଖେଳିବାର ସୁଯୋଗ ମିଳିଥିଲା। ଗତ ଡିସେମ୍ବର ୨ରେ ସେ କାନ୍ବେରାରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ପଦାର୍ପଣ କରିଥିଲେ। ଭାରତ ଏହି ମ୍ୟାଚରେ ୧୩ ରନରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ୧୦ ଓଭର ବୋଲିଂ କରି ନଟରାଜନ ୭୦ ରନ ବ୍ୟୟ କରିଥିଲେ ମଧ୍ୟ ଦୁଇ ମୂଲ୍ୟବାନ ଉଇକେଟ ହାସଲ କରିଥିଲେ। ଏହାପରେ ଟି୨୦ ସିରିଜରେ ସେ ୩ଟି ମ୍ୟାଚ ଖେଳି ୬ ଉଇକେଟ ଅକ୍ତିଆର କରିଥିଲେ। ଭାରତ ଟି୨୦ ସିରିଜରେ ୨-୧ରେ ବିଜୟୀ ହୋଇଥିଲା। ନଟରାଜନଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟୁଇଟ୍ କରି ଅଭିନନ୍ଦନ ଜଣାଇଛି। ପ୍ରଥମ ଭାରତୀୟ ଖେଳାଳିଭାବେ ଗୋଟିଏ ଗସ୍ତରେ ୩ଟି ଯାକ ଫର୍ମାଟ୍ରେ ଡେବ୍ୟୁ କରିଥିବାରୁ ନଟରାଜନଙ୍କୁ ସ୍ବାଗତ କରୁଛୁ ବୋଲି ଆଇସିସି ଟୁଇଟ୍ କରି ଉଲ୍ଲେଖ କରିଛି।
ନଟରାଜନଙ୍କ ମା’ ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ସେ ଚଳିତ ଚତୁର୍ଥ ଟେଷ୍ଟର ପ୍ରଥମ ଦିବସରେ ୨୦ ଓଭର ବୋଲିଂ କରି ୬୩ ରନ ବ୍ୟୟ କରିବା ସହ ୨ ମୂଲ୍ୟବାନ ଉଇକେଟ ଅକ୍ତିଆର କରିଛନ୍ତି। ସେ ଶତକ ହାସଲ କରିଥିବା ମାର୍ନସ ଲାବୁସେନ ଓ ମାଥ୍ୟୁ ଓ୍ବାଡେଙ୍କୁ ଆଉଟ କରି ଭାରତକୁ ବ୍ରେକ୍ ଥ୍ରୁ ଦେଇଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ଟୁଇଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛି। ସ୍ପିନ୍ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ମଧ୍ୟ ଏହି ମ୍ୟାଚରେ ପଦାର୍ପଣ କରିଛନ୍ତି। ସେ ଷ୍ଟିଭ୍ ସ୍ମିଥ୍ଙ୍କ ଉଇକେଟ ଅକ୍ତିଆର କରିଛନ୍ତି।