ଗୋଟିଏ ରକେଟ ଲଞ୍ଚ କରିବା ବେଳେ ୧୯ ଲକ୍ଷ ଲିଟର ପାଣି ଖର୍ଚ୍ଚ କରେ ନାସା, କାରଣ ଜାଣିଲେ ଚକିତ ହେବେ 

ଫ୍ଲୋରିଡା: ଯେତେବେଳେ NASAର କୌଣସି ବଡ଼ ରକେଟ ଯେମିତି Space Launch System (SLS) କିମ୍ବା ପୂର୍ବରୁ ସ୍ପେସ ଶଟଲ ଲଞ୍ଚ ହୁଏ, ସେତେବେଳେ ଲଞ୍ଚ ପ୍ୟାଡ ଉପରେ ଲକ୍ଷାଧିକ ଲିଟର୍‌ ପାଣିର ବର୍ଷା ଦେଖାଯାଏ। ଏହି ପାଣି ରକେଟର ବେଗକୁ ବଢ଼ାଇବା କିମ୍ବା ଉପରକୁ ଠେଲିବା ପାଇଁ ନୁହେଁ, ବରଂ ଏହା ମୁଖ୍ୟତଃ ଧ୍ୱନି (ସାଉଣ୍ଡ) ଏବଂ ଅତ୍ୟଧିକ ଉତ୍ତାପକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର ହୁଏ।
ପାଣି କାହିଁକି ଜରୁରୀ? ମୁଖ୍ୟ ଦୁଇଟି କାରଣ
୧. ଧ୍ୱନିକୁ କମ କରିବା (Sound Suppression)
ରକେଟ ଇଞ୍ଜିନ ଜଳିବା ସମୟରେ ୧୮୦-୧୯୫ ଡେସିବଲ ପର୍ଯ୍ୟନ୍ତ ଭୟଙ୍କର ଧ୍ୱନି ଉତ୍ପନ୍ନ ହୁଏ। ଏତେ ତୀବ୍ର ଧ୍ୱନି ରକେଟ୍‌ ଉପକରଣ ଏବଂ ଲଞ୍ଚ ପ୍ୟାଡ୍‌କୁ କ୍ଷତି ପହଞ୍ଚାଇପାରେ। ପାଣିର ବର୍ଷା ଏହି ଧ୍ୱନି ତରଙ୍ଗଗୁଡ଼ିକୁ ଶୋଷଣ କରି ନେଇଥାଏ।
ଫଳସ୍ବରୂପ ଧ୍ୱନି ସ୍ତର ପ୍ରାୟ ୧୪୨ ଡେସିବଲ ପର୍ଯ୍ୟନ୍ତ କମିଯାଏ, ଯାହା ସୁରକ୍ଷିତ ବୋଲି ଗଣାଯାଏ। NASAର ମତରେ ଏହି ସିଷ୍ଟମ ରକେଟ୍‌କୁ ଧ୍ୱନି ଝଟ୍‌କାରୁ ରକ୍ଷା କରେ।
୨. ତାପ ଏବଂ ନିଆଁରୁ ସୁରକ୍ଷା (Heat and Fire Protection):
ରକେଟ ଇଞ୍ଜିନରୁ ବାହାରିଥିବା ନିଆଁ ଏବଂ ଗ୍ୟାସର ତାପମାତ୍ରା ହଜାର ଡିଗ୍ରୀ ପର୍ଯ୍ୟନ୍ତରେ ପହଞ୍ଚିଥାଏ। ଏହାଦ୍ୱାରା ଲଞ୍ଚ ପ୍ୟାଡ୍‌ ତରଳିଯାଇପାରେ କିମ୍ବା ନିଆଁ ଲାଗିପାରେ। ହେଲେ ପାଣି ତୁରନ୍ତ ବାଷ୍ପରେ ପରିଣତ ହୋଇ ତାପକୁ ଶୋଷଣ କରିନେଇଥାଏ ଏବଂ ତାପମାତ୍ରାକୁ ଦ୍ରୁତ ଭାବେ କମାଇଦିଏ। ସେହିପରି ଏହା ନିଆଁର ଜ୍ୱାଳାକୁ ମଧ୍ୟ ନିୟନ୍ତ୍ରଣ କରେ।
କେତେ ପାଣି ବ୍ୟବହାର ହୁଏ?
NASAର Ignition Overpressure Protection and Sound Suppression (IOP/SS) ସିଷ୍ଟମ ଲଞ୍ଚରୁ କିଛି ସେକେଣ୍ଡ ପୂର୍ବରୁ ସକ୍ରିୟ ହୁଏ।  SLS ରକେଟ ପାଇଁ ପ୍ରାୟ ୪,୦୦,୦୦୦ରୁ ୪,୫୦,୦୦୦ ଗ୍ୟାଲନ (ପ୍ରାୟ ୧୫-୧୭ ଲକ୍ଷ ଲିଟର୍‌) ପାଣି ବ୍ୟବହାର ହୁଏ।
-ଏହି ପାଣି କିଛି ସେକେଣ୍ଡରେ ଛଡ଼ାଯାଏ, ଯାହାଦ୍ୱାରା ପିକ ଫ୍ଲୋ ରେଟ ୧୦ ଲକ୍ଷ ଗ୍ୟାଲନ ପ୍ରତି ମିନିଟ ପର୍ଯ୍ୟନ୍ତ ପହଞ୍ଚିଥାଏ।  ପାଣି ଏକ ବିଶାଳ ଗିଜର୍‌ ପରି ଲଞ୍ଚ ପ୍ୟାଡ ଏବଂ ଫ୍ଲେମ ଟ୍ରେଞ୍ଚ ଉପରେ ପଡ଼ିଥାଏ, ଯାହା ରକେଟ ତଳୁ ବାହାରିଥିବା ଊର୍ଜାକୁ ବଫର୍‌ କରେ।
ଏହି ପାଣି ରକେଟର ସଫଳ ଏବଂ ସୁରକ୍ଷିତ ଉଡ଼ାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବିନା ଲଞ୍ଚ ପ୍ୟାଡ ଏବଂ ରକେଟକୁ ବହୁତ କ୍ଷତି ହୋଇପାରନ୍ତା। NASAର ଏହି ଟେକ୍ନୋଲୋଜି ଅନ୍ତରୀକ୍ଷ ଯାତ୍ରାକୁ ଆହୁରି ସୁରକ୍ଷିତ କରୁଛି!