ଶ୍ରୀହରିକୋଟା,୩୦।୭: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ତା’ର ସବୁଠାରୁ ମହଙ୍ଗା ଅନ୍ତରୀକ୍ଷ ମିଶନ ‘ନିସାର’ (NASA-ISRO Synthetic Aperture Radar) ଲଞ୍ଚ କରିଛି। ବୁଧବାର ଅନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ଅନ୍ତରୀକ୍ଷ କେନ୍ଦ୍ରରୁ ସା ୫ଟା ୪୦ ମିନିଟରେ ଏହାକୁ ଲଞ୍ଚ କରାଯାଇଛି। ଏହି ସାଟେଲାଇଟ ଇସ୍ରୋ ଏବଂ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସାର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି। ଏହାକୁ ସୂର୍ଯ୍ୟ ସମକାଳୀନ ଧ୍ରୁବୀୟ କକ୍ଷରେ ସ୍ଥାପନ କରାଯିବ, ଯେଉଁଠାରୁ ଏହା ସମଗ୍ର ପୃଥିବୀ ଉପରେ ନଜର ରଖିବ। ଏହି ମିଶନର ମୋଟ ଖର୍ଚ୍ଚ ପ୍ରାୟ ୧.୫ ବିଲିୟନ ଆମେରିକୀୟ ଡଲାର, ଅର୍ଥାତ ପ୍ରାୟ ୧୩,୧୨୦ କୋଟି ଟଙ୍କା।
ନିସାର ମିଶନ ହେଉଛି ଇସ୍ରୋ ଓ ନାସାର ଏକ ମିଳିତ ପ୍ରୟାସ, ଯାହାକୁ ଉଭୟ ସଂସ୍ଥା ବର୍ଷ ବର୍ଷ ଧରି କଠିନ ପରିଶ୍ରମ ପରେ ସଫଳ କରିଛନ୍ତି। ଇସ୍ରୋ ଏହାକୁ ଭାରତର ବାହୁବଳୀ ରକେଟ GSLV-F୧୬ ମାଧ୍ୟମରେ ଲଞ୍ଚ କରିଛି। ଏହା ଏକ ଏକ୍ସପେଣ୍ଡେବଲ ନନ-ରିୟୁଜେବଲ ତିନି-ପର୍ଯ୍ୟାୟ ଲଞ୍ଚ ଭେଇକିଲ। ପୂର୍ବରୁ ଇସ୍ରୋ ରିସୋର୍ସ ସାଟ୍ ଓ ରିସାଟ୍ ଭଳି ପୃଥିବୀ ନିରୀକ୍ଷଣ ସାଟେଲାଇଟ ଲଞ୍ଚ କରିଥିଲା, କିନ୍ତୁ ସେଗୁଡ଼ିକ କେବଳ ଭାରତୀୟ ଅଞ୍ଚଳ ପର୍ଯ୍ୟନ୍ତ ସୀମିତ ଥିଲା।
ନିସାର କ’ଣ ଓ ଏହା କାହିଁକି ସ୍ବତନ୍ତ୍ର?
ନିସାର ହେଉଛି ନାସା ଓ ଇସ୍ରୋର ସିନ୍ଥେଟିକ ଆପାର୍ଚର ରାଡାର ସାଟେଲାଇଟ, ଯାହା ଅନ୍ତରୀକ୍ଷରୁ ପୃଥିବୀକୁ ମ୍ୟାପିଂ କରିବାରେ ପ୍ରଥମ ରାଡାର ସାଟେଲାଇଟ। ଏହା ବିଭିନ୍ନ ପରିବେଶଗତ ଏବଂ ଭୂ-ବୈଜ୍ଞାନିକ ପରିବର୍ତ୍ତନର ନିରୀକ୍ଷଣ କରିବ। ପ୍ରାରମ୍ଭରେ ଏହାକୁ ଲୋ ଆର୍ଥ ଅର୍ବିଟରେ ରଖାଯାଇଛି, ଯେଉଁଠାରେ ଏହା ଲଗାତାର ତିନି ବର୍ଷ ଧରି ନିରୀକ୍ଷଣ କରିବ। ଏହି ସାଟେଲାଇଟ ପୃଥିବୀ ଭିତର ପର୍ଯ୍ୟନ୍ତ ମ୍ୟାପ ତିଆରି କରିପାରିବ, ବରଫାଚ୍ଛାଦିତ ପର୍ବତ ଓ ଜଙ୍ଗଲ ବିଷୟରେ ସୂଚନା ଦେଇପାରିବ। ଏହା ବରଫ ଢ଼ାଙ୍କିଥିବା ପାହାଡ଼ର ସଠିକ ଅଧ୍ୟୟନ, ଭୂମି ଧସିବା, ଜ୍ୱାଳାମୁଖୀ ଓ ଭୂମିକମ୍ପ ମାମଲାରେ ସହାୟକ ହେବ। ଏହା ସହ ନିସାର କୃଷି, ମାଟିର ଆର୍ଦ୍ରତା ଏବଂ ଅବସଂରଚନା ଉପରେ ମଧ୍ୟ ନଜର ରଖିବ।
ନିସାର ସାଟେଲାଇଟର ଓଜନ ୨.୫ ଟନ ଏବଂ ଏହାକୁ ପୃଥିବୀଠାରୁ ୭୪୮ କିଲୋମିଟର ଉଚ୍ଚତାରେ ପ୍ରକ୍ଷେପଣ କରାଯାଇଛି। ଲୋ ଆର୍ଥ ଅର୍ବିଟରୁ ଏହା ପୃଥିବୀର ଏକ ଚକ୍କର ୧୨ ଦିନରେ ସମ୍ପୂର୍ଣ୍ଣ କରିବ। ଥରକେ ୨୪୦ କିଲୋମିଟର ଅଞ୍ଚଳକୁ କଭର କରିବ ଏବଂ ଲଗାତାର ତିନି ବର୍ଷ ଧରି କାର୍ଯ୍ୟ କରିବ। ଇସ୍ରୋ ବୈଜ୍ଞାନିକଙ୍କ ମତରେ, ଏହି ସାଟେଲାଇଟ ପ୍ରତିଦିନ ୮୦ ଟେରାବାଇଟ ଡାଟା ଉପଲବ୍ଧ କରାଇବ।
ନିସାରରେ ବ୍ୟବହୃତ ସିନ୍ଥେଟିକ ଆପାର୍ଚର ରାଡାର ପ୍ରଯୁକ୍ତି ମେଘ ପାର କରି ମଧ୍ୟ ନିରୀକ୍ଷଣ କରିପାରିବ। ଏହା ଉଚ୍ଚ ରିଜୋଲ୍ୟୁସନର ଚିତ୍ର ନେବାରେ ସକ୍ଷମ ଏବଂ ଏହାକୁ ଆଲୋକର ଆବଶ୍ୟକତା ନାହିଁ। ଅନ୍ଧାରରେ ମଧ୍ୟ ଏହା ଡାଟା ସଂଗ୍ରହ କରିପାରିବ। ଅର୍ଥାତ ଏହା ଏପରି ଏକ ସାଟେଲାଇଟ ଯାହା ପୃଥିବୀ ଉପରେ ୨୪ ଘଣ୍ଟା ନଜର ରଖିପାରିବ।