ରାୟପୁର,୧୮ା୧: ଛତିଶଗଡ଼ର ଯୁବ ଅଫିସର ଦମ୍ପତି ଏବେ ନିଜର କାର୍ଯ୍ୟଦକ୍ଷତା ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସ୍ତ୍ରୀ ଆଇଏଏସ୍ (IAS) ଏବଂ ସ୍ୱାମୀ ଆଇପିଏସ୍ (IPS)। ଉଭୟ ଏବେ ରାଜ୍ୟର ଦୁଇଟି ନକ୍ସଲ ପ୍ରବଣ ଜିଲାର କମାଣ୍ଡ ସମ୍ଭାଳୁଛନ୍ତି। ମଙ୍ଗଳବାର ରାଜ୍ୟ ପ୍ରଶାସନରେ ହୋଇଥିବା ବଡ଼ ଧରଣର ଅଦଳବଦଳ ପରେ ଏହି ଦମ୍ପତିଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।
ଛତିଶଗଡ଼ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ୧୧ ଜଣ ଆଇଏଏସ୍ ଅଫିସରଙ୍କ ବଦଳି ତାଲିକାରେ ଚର୍ଚ୍ଚିତ ଅଫିସର ନମ୍ରତା ଜୈନଙ୍କ ନାମ ରହିଛି। ତାଙ୍କୁ ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲାର ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ନମ୍ରତା ପୂର୍ବରୁ ସୁକମା, ରାୟପୁର, ମହାସମୁନ୍ଦ ଏବଂ କୋରିଆ ଭଳି ଜିଲାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିସାରିଛନ୍ତି। ଜିଲାପାଳ ଭାବେ ଏହା ତାଙ୍କର ପ୍ରଥମ ପୋଷ୍ଟିଂ।
ନମ୍ରତାଙ୍କ ସ୍ୱାମୀ ନିଖିଲ ରାଖେଚା ଜଣେ ଦକ୍ଷ ଆଇପିଏସ୍ ଅଫିସର। ସେ ବର୍ତ୍ତମାନ ନକ୍ସଲ ପ୍ରବଣ ଗରିଆବନ୍ଦ ଜିଲାର ଏସପି (SP) ଭାବେ କାର୍ଯ୍ୟରତ। ନିଖିଲଙ୍କ ନେତୃତ୍ୱରେ ପୋଲିସ ବହୁ ବଡ଼ ସଫଳତା ପାଇଛି। ବିଶେଷ କରି ୧ କୋଟି ଟଙ୍କାର ପୁରସ୍କାର ଘୋଷିତ ନକ୍ସଲ ଜୟରାମ ଓରଫ ଚଲପତି ସମେତ ଅନେକ ଦୁର୍ଦ୍ଦାନ୍ତ ନକ୍ସଲଙ୍କ ଏନକାଉଣ୍ଟର କରି ସେ ବାହାବା ସାଉଁଟିଛନ୍ତି। ତାଙ୍କ ଭୟରେ ଅନେକ ନକ୍ସଲ ମଧ୍ୟ ଆତ୍ମସମର୍ପଣ କରିଛନ୍ତି।
ଏହି ଦମ୍ପତିଙ୍କ ପାଇଁ ନକ୍ସଲ ଅଞ୍ଚଳରେ କାମ କରିବା ନୂଆ ନୁହେଁ। ପୂର୍ବରୁ ଯେତେବେଳେ ନମ୍ରତା ସୁକମା ଜିଲାର ଜିଲା ପରିଷଦ ସିଇଓ (CEO) ଥିଲେ, ସେତେବେଳେ ନିଖିଲ ସେଠାରେ ଅତିରିକ୍ତ ଏସପି ଭାବେ ନିୟୋଜିତ ଥିଲେ। ସେତେବେଳେ ମଧ୍ୟ ଏହି ଯୋଡ଼ିଙ୍କ ଉତ୍ତମ ସମନ୍ୱୟ ଓ କାର୍ଯ୍ୟଶୈଳୀକୁ ନେଇ ବେଶ ପ୍ରଶଂସା କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ନମ୍ରତା ଏବଂ ନିଖିଲ ୨୦୨୧ ମସିହାରେ କୋର୍ଟ ମ୍ୟାରେଜ୍ କରିଥିଲେ। ଦୁଇଟି ସମ୍ବେଦନଶୀଳ ଜିଲାର ଦାୟିତ୍ୱ ସମ୍ଭାଳି ଏହି ଅଫିସର ଦମ୍ପତି ଏବେ ଦେଶର ଯୁବବର୍ଗଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି।