ଲାହୋର, ୧୦ା୧୦: ଏସିଆ କପ୍ ଟ୍ରଫିକୁ ନେଇ ଏବେ ସୁଦ୍ଧା ବିବାଦ ଲାଗିରହିଛି। ଏସିଆନ୍ କ୍ରିକେଟ୍ କାଉନ୍ସିଲ(ଏସିସି) ମୁଖ୍ୟ ମହସିନ ନକ୍ଭି କହିଛନ୍ତି, ଏହି ଟ୍ରଫିଟିକୁ ବର୍ତ୍ତମାନ ଦୁବାଇସ୍ଥିତ ଏସିସିର ମୁଖ୍ୟ କାର୍ଯ୍ୟାଳୟରେ ତାଲା ପକାଇ ରଖାଯାଇଛି। ତାଙ୍କ ବିନା ଅନୁମୋଦନରେ ଏହି ଟ୍ରଫିକୁ କେହି ନେଇପାରିବେନି କିମ୍ବା ଏହା କାହାରିକୁ ହସ୍ତାନ୍ତର କରାଯାଇପାରିବନାହିଁ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୮ରେ ଦୁବାଇରେ ଅନୁଷ୍ଠିତ ଏସିଆ କପ୍ କ୍ରିକେଟ୍ ଫାଇନାଲରେ ପାକିସ୍ତାନକୁ ହରାଇଥିଲା ଭାରତ। ନକ୍ଭିଙ୍କଠାରୁ ଟ୍ରଫି ନେବାକୁ ଭାରତୀୟ ଦଳ ମନା କରିଦେବା ପରେ ସେ ଟ୍ରଫି ସହ ପୁରସ୍କାର ବିତରଣ ଉତ୍ସବ ସ୍ଥଳ ଛାଡ଼ି ପଳାଇଥିଲେ। ଏହି ଟ୍ରଫି ବର୍ତ୍ତମାନ ଏସିସି କାର୍ଯ୍ୟାଳୟରେ ରଖାଯାଇଛି। ନକ୍ଭି ଆହୁରି ମଧ୍ୟ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର ଚେୟାରମ୍ୟାନ ଏବଂ ତାଙ୍କ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ରହିଛନ୍ତି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି।