ଫେଡେରେଶନ୍‌ କପ୍‌ ସିନିୟର କବାଡ଼ି ପ୍ରତିଯୋଗିତା ପାଇଁ ଟେକ୍ନିସିଆନ୍‌ ଅଫିସିଆଲଙ୍କ ନାମ ଘୋଷଣା: ଓଡ଼ିଶାରୁ ରଞ୍ଜିତା ମିଶ୍ର ମନୋନୀତ

ଦେବଗଡ,୩୦ା୪(ଶଶାଙ୍କ ଶେଖର ଝାଙ୍କର)- ଆମେଚର କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆ ଆନୁକୂଲ୍ୟରେ ମହାରାଷ୍ଟ୍ର ଅମରାବତୀର ଗଡଗେବାବା ସମାଧି ମନ୍ଦିର ଖେଳପଡିଆଠାରେ ଆସନ୍ତା ୨ରୁ ୪ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ଫେଡେରେଶନ କପ୍‌ ସିନିୟର କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାର ମ୍ୟାଚ୍‌ ପରିଚାଳନା ନିମନ୍ତେ ଓଡ଼ିଶାର ଏକମାତ୍ର ମହିଳା ଟେକ୍ନିସିଆନ୍‌ ଅଫିସିଆଲ ଭାବେ ଦେବଗଡସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ, ଉପରୋକ୍ତ ପ୍ରତିଯୋଗିତାରେ ମ୍ୟାଚ୍‌ ପରିଚାଳନା ନିମନ୍ତେ ଟେକ୍ନିସିଆନ୍‌ ଅଫିସିଆଲ ଭାବେ ଭାରତର ବିଭିନ୍ନ ରାଜ୍ୟରୁ ମୋଟ ୨୧ ଜଣ ପୁରୁଷ ଏବଂ ମହିଳା ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ମିଶ୍ର ରହିଥିବା ଜଣାପଡିଛି। ଏହି ସଫଳତା ନିମନ୍ତେ ତାଙ୍କୁ ଜିଲାର ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।