ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି।
ଦେଓ ସାକ୍ଷ୍ୟ ପ୍ରଦାନ ବେଳେ କହିଛନ୍ତି, ୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଗାନ୍ଧୀଛକଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ନବ ଦାସ ଯୋଗଦେବାକୁ ଯାଉଥିଲେ। ସେ ତାଙ୍କ ଇନୋଭା କାର୍ର ଆଗ ସିଟ୍ରେ ବସିଥିବା ବେଳେ ପଛ ସିଟ୍ରେ ଅନ୍ୟ ୩ ଜଣ ବସିଥିଲେ। ମୁଁ ତାଙ୍କ କାର ପଛରେ ଥିବା ଏକ ବୋଲେରୋରେ ବସିଥିଲି। ସଭାସ୍ଥଳ ନିକଟରେ ପହଞ୍ଚିବା ପରେ ବାଦ୍ୟ ବାଜିବା ସହିତ ବାଣ ଫୁଟୁଥିଲା। ନବ ଦାସ କାରରୁ ଓହ୍ଲାଇବା ସମୟରେ ଉପସ୍ଥିତ ଜନସାଧାରଣ ତାଙ୍କୁ ଫୁଲମାଳ ପିନ୍ଧାଉଥିବା ବେଳେ ବନ୍ଧୁକରୁ ଗୁଳି ଫୁଟିବା ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ସମୟରେ ଲୋକମାନେ ଭୟରେ ଦୌଡ଼ାଦୌଡ଼ି ହୋଇ ପଳାଉଥିବା ବେଳେ ମୁଁ ନବ ଦାସଙ୍କ ପାଖରେ ପହଞ୍ଚି ଥିଲି। ମୋତେ କିଏ ଗୁଳି ମାରିଦେଲା ବୋଲି ନବ କହିଥିଲେ।
ଏହି ସମୟରେ ଇନୋଭା କାର ନିକଟରେ ତତ୍କାଳୀନ ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଗୋପାଳ ଦାସ ବନ୍ଧୁକ ଧରି ଛିଡ଼ା ହୋଇଥିଲେ। ତତ୍କାଳୀନ ବ୍ରଜରାଜନଗର ଥାନା ଅଧିକାରୀ ପହଞ୍ଚି ଆୟତ୍ତ କରିବା ପାଇଁ ଗୋପାଳ ବନ୍ଧୁକ ଧରିଥିବା ହାତକୁ ଉପରକୁ ଟେକି ଦେଇଥିଲେ। ଫଳରେ ଦୁଇଟି ବ୍ଲାଙ୍କ୍ ଫାୟାରିଂ ମଧ୍ୟ ହୋଇଥିଲା। ନବ ଦାସଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା। ଏ ସମ୍ପର୍କରେ ମିତ୍ରଭାନୁ କୋର୍ଟଙ୍କୁ ଜଣାଇଥିବା ନେଇ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ପ୍ରକାଶ କରିଛନ୍ତି। ଅପରପକ୍ଷେ ଏହି ଘଟଣାରେ ଗିରଫ ହୋଇ ଚୌଦ୍ୱାର ଜେଲରେ ଥିବା ଅଭିଯୁକ୍ତ ଗୋପାଳ ଭିଡିଓ କନ୍ଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ।