ଉତ୍ତରପ୍ରଦେଶରରେ ମୁସଲମାନ ନାବାଳକଙ୍କୁ ବୀଭତ୍ସ ହତ୍ୟା

ଆଜମଗଡ଼,୨୭ା୯: ଉତ୍ତରପ୍ରଦେଶର ଆଜମଗଡ଼ ଅଧୀନ ସିଧାରୀ ସହରରେ ଗୁରୁବାର ଏକ ବୀଭତ୍ସ ହତ୍ୟା କାଣ୍ଡ ସାମ୍ନାକୁ ଆସିଛି। ଜଣେ ୭ ବର୍ଷୀୟ ମୁସଲମାନ ବାଳକଙ୍କୁ ପଡ଼ୋଶୀ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ବାଳକ ବୁଧବାର ଟିଉଶନ ଯାଇ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଶୈଳେନ୍ଦ୍ର କୁମାର ନିଗମ ଓରଫ ମଣ୍ଟୁ ନାମକ ଅଭିଯୁକ୍ତଙ୍କ ସହ ଶେଷଥର ପାଇଁ ଦେଖିବାକୁ ମିଳିଥିଲା।

ଏନେଇ ବୁଧବାର ସନ୍ଧ୍ୟାରେ ପରିବାର ପକ୍ଷରୁ ସିଧାରୀ ଥାନାରେ ନିଖୋଜ ଏତଲା ଦିଆଯାଇଥିବା ବେଳେ ଗୁରୁବାର ପିଲାଟିର ଖଣ୍ଡିତ ମୃତଦେହ ମିଳିବା ପରେ ଏହାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରାଯାଇଛି। ମୃତଦେହକୁ ଏକ ଅଖାରେ ଭର୍ତ୍ତି କରାଯାଇ ଜଣେ ପଡ଼ୋଶୀଙ୍କ ଫାଟକରେ ଝୁଲାଇ ଦିଆଯାଇଥିଲା। ଏହି ମାମଲାରେ ଶୈଳେନ୍ଦ୍ର, ରାଜା ନିଗମଙ୍କୁ ଗିରଫ କରାଯାଇଛି। ସେମାନେ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ପାଲଟା ଗୁଳିଚାଳନା କରିଥିଲା। ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି ଆଦି ଜବତ ହୋଇଛି।