ଟ୍ରମ୍ପଙ୍କ ହୋଟେଲ ବାହାରେ ଜଳିଗଲା ମସ୍କଙ୍କ ସାଇବର ଟ୍ରକ୍‌, ଜଣେ ମୃତ ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ,୨।୧: ଆମେରିକାରେ ପୁଣି ଥରେ ଏକ ଦୁର୍ଘଟଣା ଘଟିଛି। ପ୍ରଥମେ ନ୍ୟୁ ଆର୍ଲିନ୍ସରେ ଏକ ଟ୍ରକ ଅନେକ ଲୋକଙ୍କ ଉପର ମାଡି ଯାଇଥିବା ବେଳେ ଏବେ ଲସ ଭେଗାସରେ ଏକ ବିସ୍ଫୋରଣ ଘଟିଛି । ଟ୍ରମ୍ପ ଟାୱାର ବାହାରେ ଏହି ବିସ୍ଫୋରଣ ଘଟିଛି। ଟେସଲା କମ୍ପାନୀର ଏକ ସାଇବର ଟ୍ରକରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଲସ ଭେଗାସ ସ୍ଥିତ ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ ବାହାରେ ଏକ ଟେସଲା ସାଇବର ଟ୍ରକ ପାର୍କିଂ କରାଯାଇଥିଲା। ଯେଉଁଥିରେ ଏକ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ୭ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀ ଘଟଣା ମନେକରି ଏଫବିଆଇ ଏହାର ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲର ମାଲିକ ହେଉଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟେସଲାର ମାଲିକ ହେଉଛନ୍ତି ଏଲୋନ ମସ୍କ। ଏଲୋନ ମସ୍କ ଏବଂ ଡୋନାଲ୍ଡ ଟ୍ରମ୍ପ ଘନିଷ୍ଠ ବନ୍ଧୁ ଅଟନ୍ତି।
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସାଇବର ଟ୍ରକ କିପରି ବିସ୍ଫୋରଣ ହୋଇଛି ତାହା ଦୃଶ୍ୟମାନ ହେଉଛି। ସାଇବର ଟ୍ରକଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି।
ଲସ ଭେଗାସ ମହାନଗର ନିଗମର ପୋଲିସ ଶେରିଫ କେଭିନ ମ୍ୟାକମାହିଲ କହିଛନ୍ତି ଯେ ସାଇବର ଟ୍ରକ, ଟ୍ରମ୍ପଙ୍କ ହୋଟେଲ ସମେତ ଅନେକ ପ୍ରଶ୍ନ ରହିଛି, ଯେଉଁଥିପାଇଁ ଆମକୁ ଉତ୍ତର ଆବଶ୍ୟକ। ଏଫବିଆଇ ସ୍ପେଶାଲ ଏଜେଣ୍ଟ ଜେରେମି କହିଛନ୍ତି ଯେ ଏହା ଆତଙ୍କବାଦୀ ଘଟଣା କି ନୁହେଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୁଁ ଜାଣେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଏହା ଏକ ଆତଙ୍କବାଦୀ ଘଟଣା କି ନୁହେଁ।