ଆର,ଉଦୟଗିରି,୨ା୯(ମନୋଜ କୁମାର ପାଢୀ): ଗଜପତି ଜିଲା ଆର୍.ଉଦୟଗିରି ଥାନା ପୁରୁଣାପାଣି ପଞ୍ଚାୟତର କାଦମୂଳି ଗାଁ ନିକଟସ୍ଥ ପାହଡରେ ଜଣେ ବୃଦ୍ଧଙ୍କୁ ଗତ ସପ୍ତାହରେ ହତ୍ୟା କରାଯାଇଥିଲା। ମୃତକ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଢେପଶଙ୍କରଖାଳି ଗାଁର ଶିବ ନାୟକ। ଏହି ଘଟଣାରେ ଆର. ଉଦୟଗିରି ପୋଲିସ ଗାଁର ୩ ଜଣଙ୍କୁ ଗିରଫ କରିଛି । ସେମାନେ ହତ୍ୟାକାଣ୍ଡ ପରେ ମୃତଦେହକୁ ଏକ ପଥର ଖୋଲରେ ଲୁଚାଇ ରଖିଥିଲେ।
ମଦ୍ୟପାନ କରି ବଚସା ହେବା ପରେ ଅଭିଯୁକ୍ତମାନେ ଶିବଙ୍କୁ ପଥରରେ ଛେଚି ହତ୍ୟା କରି ମୃତଦେହକୁ ନିକଟସ୍ଥ ପାହଡ ଉପରକୁ ନେଇ ଏକ ପଥର ଖୋଲରେ ଲୁଚାଇ ଦେଇଥିଲେ। ପରିବାର ଲୋକେ ଶିବଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି କୌଣସି ସନ୍ଧାନ ପାଇ ନ ଥିଲେ। ପରେ ମୃତକଙ୍କ ଭାଇ ଆର. ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଗାଁକୁ ଯାଇ କେତେଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଅଭିଯୁକ୍ତମାନେ ମୃତଦେହକୁ ଲୁଚାଇ ରଖିଥିବା ସ୍ଥାନ ଦେଖାଇବା ପରେ ପୋଲିସ ସେଠାକୁ ଯାଇ ମୃତଦେହ ଜବତ କରିଥିଲା। ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଆର. ଉଦୟଗିରି ଥାନା ଅଧିକାରୀ ସୂଚନା ଦେଇଛନ୍ତି।