ହତ୍ୟା ନା ଆତ୍ମହତ୍ୟା: ବ୍ରିଜରୁ ପଡ଼ି ଭିସୁଟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ସମ୍ବଲପୁର,୨।୯(ପ୍ରମୋଦ ବହିଦାର): ବୁର୍ଲା ନିକଟସ୍ଥ ପାୱାର ପ୍ୟାନେଲ(ପିସି) ବ୍ରିଜରୁ ଖସିପଡ଼ି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ମୃତକ ଭିସୁଟ ମେକାନିକାଲ ଇଞ୍ଜିନିୟରିଂ ବିଭାଗ ଶେଷ ବର୍ଷ ଛାତ୍ର ଯାଜପୁରର ଅଞ୍ଜନେୟ ଦାସ ବୋଲି ଚିହ୍ନଟ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ସେ ଉକ୍ତ ବ୍ରିଜକୁ ଯାଇଥିଲେ। ବ୍ରିଜରୁ ଖସିଯିବା ପରେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ଭିମସାରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ବୋଲି ଭିସୁଟ କର୍ତ୍ତୃପକ୍ଷ ଓ ପୋଲିସ ପକ୍ଷରୁ ପ୍ରକାଶ। ତେବେ ଛାତ୍ରଙ୍କ ମୃତ୍ୟୁ ଘଟଣାର କାରଣ ସନ୍ଦେହଜନକ ରହିଛି। କାରଣ ଛାତ୍ର ଜଣକ ବ୍ରିଜକୁ କାହିଁକି ଗଲେ, ଏକାକୀ ନା ଆଉ କାହା ସହିତ ଯାଇଥିଲେ, କେଉଁ ପରିସ୍ଥିତିରେ ସେ ବ୍ରିଜ ଉପରୁ ଖସି ପଡ଼ିଲେ ଓ କିଏ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଲେ ତାହା ସ୍ପଷ୍ଟ ହୋଇନାହିଁ। ଏପରିକି ଏହା ଦୁର୍ଘଟଣା କି ଆତ୍ମହତ୍ୟା ଅଥବା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।