ଆନନ୍ଦପୁର,୧୮ା୧୦(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍ କୋର୍ଟରେ ୪ ଭାଇଙ୍କୁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଦେବଦତ୍ତ ଦାସ ମହାପାତ୍ର ମାମଲାର ବିଚାର କରି ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ଗାଁର ଧନେଶ୍ୱର ଓଝା ଏବଂ ଦାମୋଦର ଓଝାଙ୍କୁ ଦୋଷୀ ସାବ୍ୟସ୍ତ୍ୟ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ଲକ୍ଷ ଲେଖାଏ ଜରିମାନା ଓ ଅନାଦୟ ଅଧିକ ଆଉ ୨ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ପଞ୍ଚୁ ଗୋଛିଆ ଗଁାରେ ପୂର୍ବ ବିବାଦକୁ ନେଇ ଜଳଧର ଦଳେଇ, ବୁଦ୍ଧିଆ ଦଳେଇ, ସାଧୁଆ ଦଳେଇ ଓ ଉଦ୍ଧବ ଦଳେଇଙ୍କ ସହ ସେହି ଗ୍ରାମର ଧନେଶ୍ୱର ଓଝା ଓ ଦାମୋଦର ଓଝାଙ୍କ ତିକ୍ତତା ଲାଗି ରହିଥିଲା।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜୁଲାଇ ୨୦୦୨ରେ ଜଳଧରଙ୍କ ସମେତ ଅନ୍ୟ ୩ ଭାଇଙ୍କୁ ଦିନ ଦୁଇ ପ୍ରହରରେ ଧନେଶ୍ୱର ଓ ଦାମୋଦର ମାରଣାସ୍ତ୍ରରେ ଗୋଡାଇ ହାଣିଥିଲେ। ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ୪ ଭାଇଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ଭାଇ ମାଧବାନନ୍ଦ ଦଳେଇଙ୍କ ଅଭିଯୋଗ ଆଧାରରେ ୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା। ଘଟଣାରେ ୨୫ ଜଣ ସାକ୍ଷୀ ଓ ୮୦ ଦସ୍ତାବିଜ୍ ଆଧାରରେ ବିଚାରପତି ଉକ୍ତ ରାୟ ଶୁଣାଇଛନ୍ତି।
ଏଥିସହ ଘଟଣାରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କୁ ପ୍ରମାଣ ଅଭାବରୁ ବିଚାରପତି ଦୋଷମୃକ୍ତ କରିଥିବା ମାମଲା ପରିଚାଳନା କରୁଥିବା ଅତିରିକ୍ତ ସରକାରୀ ଓକିଲ ସୌମିତ୍ରୀ କୁମାର ରାଉତ, ସ୍ବତନ୍ତ୍ର ସରକାରୀ ଓକିଲ ବାଇଧର ସେଠୀ ସୂଚନା ଦେଇଛନ୍ତି।