ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ସିନ୍ଧବା ଗ୍ରାମର ଶିବା ଓରଫ ଶିବ ଶଙ୍କର ଗୌଡ଼(୨୨) ଏବଂ ତାଙ୍କ ସମ୍ପର୍କୀୟ ଚିକୁନ୍ ଗୌଡ଼(୨୫) ଙ୍କୁ ତଦନ୍ତକାରୀ ଅଧିକାରୀ କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୧/୨୬ ଦଫା -୧୦୩(୧)/୩(୫) ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।
ସନିଆଙ୍କ ନାବାଳିକା ନାତୁଣୀ(୧୬) ଗତ ମଙ୍ଗଳବାର ରାତିରେ ତାଙ୍କ ଛେଳି ଗୁହାଳରେ କାମ କରୁଥିବା ବେଳେ ଶିବ ସେଠାରେ ପହଞ୍ଚି ତାଙ୍କୁ ଟେକିନେଇ ଗୁହାଳ ଘର ଭିତରେ ଜବରଦସ୍ତ ବଳାତ୍କାର କରିଥିଲେ। ଗୁରୁବାର ସକାଳେ ସନିଆ , ତାଙ୍କ ପୁଅ ବିଚିତ୍ର ଗୌଡ଼ ଏବଂ ତାଙ୍କ ଗ୍ରାମର ଶତ୍ରୁଘ୍ନ ଗୌଡ଼ ଘର ସାମ୍ନାରେ ବଳାତ୍କାର ଘଟଣା ସମ୍ପର୍କରେ କଥା ହେଉଥିବା ବେଳେ ପଡୋଶୀ ଶିବ ସେମାନଙ୍କ କଥା ଶୁଣି ସମ୍ପର୍କୀୟ ଚିକୁନ୍ ସହ ସେଠାରେ ପହଞ୍ଚି ସନିଆଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ। ପ୍ରତିବାଦ କରିବାରୁ ଶିବ ସେଠାରେ ପଡ଼ିଥିବା ଏକ କାଠଖଣ୍ଡ ସହାୟତାରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ଚିକୁନ୍ ସନିଆଙ୍କୁ ମୁଥ ମାରିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ଚେତାଶୂନ୍ୟ ହୋଇ ପଡ଼ିଯାଇଥଲେ। ଗୁରୁତର ସନିଆଙ୍କୁ ପରିବାର ଲୋକେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ସନିଆଙ୍କ ପୁଅ ବିଚିତ୍ର ଏତଲା ଦେବାପରେ ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ରକ୍ତଭିଜା ମାଟି, ମୃତ ସନିଆଙ୍କ ଲୁଗା, ଅଭିଯୁକ୍ତ ଦ୍ବୟଙ୍କ ପୋଷାକ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ କାଠଖଣ୍ଡ ଜବତ କରିଥିଲେ। ପରେ ଅଭିଯୁକ୍ତ ଦ୍ବୟଙ୍କ ଘରେ ଚଢ଼ାଉ କରି ଉଭୟଙ୍କୁ ଧରି ଥାନାକୁ ଉଠାଇ ନେଇଥିଲେ। ପଚରା ଉଚୁରା ପରେ ଉଭୟ ନିଜ ନିଜର ଦୋଷ ସ୍ବୀକାର କରିଥିବା ଆଇଆଇସି କହିଛନ୍ତି।
ଅପରପକ୍ଷରେ ବଳାତ୍କାର ପୀଡ଼ିତା ଶୁକ୍ରବାର ଥାନାରେ ପହଞ୍ଚି ଅଭିଯୁକ୍ତ ଶିବଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୨/୨୬ ଦଫା – ୬୫(୧)/୩(୫) ଭାରତୀୟ ନ୍ୟାୟ ସଂହିତା ଏବଂ ପୋକସ ଆଇନର ଧାରା – ୪ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ତଦନ୍ତକାରୀ ଅଧିକାରୀ ଚିକିଟି ଫାଣ୍ଡି ଏସ.ଆଇ ଗୌତମ ସାହୁ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି। ଶନିବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।