ପୁରୀ,୧୩।୧୧(ଅଜିତ୍ କୁମାର ମହାନ୍ତି ): ପୁରୀ ସହରରେ ପୁଣି ଚାଞ୍ଚଲ୍ୟ। ଜଣେ ନାବାଳକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଶ୍ରୀସେତୁ ନିକଟ ଜଳଭଣ୍ଡାରଠାରେ ଏହି ହତ୍ୟାକାଣ୍ଡ ଘଟିଛି। ନାବାଳକଙ୍କୁ ହତ୍ୟା କରି ଦୁର୍ବୃତ୍ତ ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ଜଣକ ଟାଉନ ଥାନା ଅଞ୍ଚଳର ସୂର୍ଯ୍ୟ ସାହୁ ବୋଲି ଜଣାପଡିଛି। ମଙ୍ଗଳବାର ଜଳଖିଆ ଆଣିବା ପାଇଁ ଯାଇ ସୂର୍ଯ୍ୟ ନିଖୋଜ ହୋଇଥିଲେ। ଏ ନେଇ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଜଳ ଭଣ୍ଡାର ନିକଟରେ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକ ମୃତଦେହକୁ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି। ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।