ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ରାଇଗୁଡା ଗ୍ରାମରେ ପୂର୍ବ ଶତ୍ରୁତାରୁ ଘଟିଥିବା ହତ୍ୟା ଉଦ୍ୟମ ଘଟଣାରେ କେ. ନୂଆଗାଁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରାଇଗୁଡା ଗ୍ରାମର ମନୋଜ ପାଇକ। କେ. ନୂଆଗାଁ ଥାନା ମାମଲା ୩୦୧/୨୫ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିଗପହଣ୍ଡି କୋର୍ଟ ଚାଲାଣ କରାଯାଇଥିଲା।ସେଠାରେ ଜାମିନ ଆବେଦନ ଖାରଜ ହୋଇ ଯିବାରୁ ମନୋଜଙ୍କୁ ସ୍ଥାନୀୟ ସବ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।
ଅଭିଯୋଗ ପ୍ରକାରେ ଗତ ଅଗଷ୍ଟ ୨୯ ତାରିଖ ରାତି ପ୍ରାୟ ସାଢେ ୭ ଟା ସମୟରେ ଅଭିଯୁକ୍ତ ମନୋଜ ସେହି ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ ଘରେ ପଶି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ ମାରିଥିଲେ। ତାଙ୍କ ପାଟି ଶୁଣି ତାଙ୍କ ସ୍ବାମୀ ଟୁନା ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଗାଁ ଲୋକେ ରୁଣ୍ଡ ହୋଇ ଯିବାରୁ ଅଭିଯୁକ୍ତ ମନୋଜ ସେଠାରୁ ଚାଲି ଯାଇଥିଲେ ମଧ୍ୟ କିଛି ସମୟ ପରେ ପୁଣି ଏକ ଦେଶୀ ବନ୍ଧୁକ ଆଣି ଦମ୍ପତ୍ତିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ମାମଲାର ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଠାରୁ ଦେଶୀ ବନ୍ଧୁକ ଜବତ କରାଯାଇଥିବା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି।