ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ କଇଠା ଓଡିଆରପି କଲେନୀର ସୁରେନ୍ଦ୍ର ବେହେରା(୬୨) ଓ ତାଙ୍କ ପୁଅ ମୋହନ ବେହେରା(୩୫) । ଆଜୀବନ କାରାଦଣ୍ଡ ସହ ଅଭିଯୁକ୍ତଙ୍କ ବାପା-ପୁଅଙ୍କୁ ୧୦ ହଜାର ଲେଖାଏ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ଓଡିଆରପି କଲୋନୀର ଭୀମ ବେହେରା(୫୫)ଙ୍କ ପରିବାର ଓ ତାଙ୍କ ବଡଭାଇ ସୁରେନ୍ଦ୍ର ବେହେରାଙ୍କ ପରିବାର ମଧ୍ୟରେ କିଆବାଡ ଭାଗବଣ୍ଟାକୁ ନେଇ କଳହ ଲାଗି ରହିଥିଲା।

୨୦୨୪ ଫେବୃଆରୀ ୪ରେ ଭୀମ ନିଜ ଘର ସମ୍ମୁଖରେ ଛଡ଼ା ହୋଇଥିବା ବେଳେ ତାଙ୍କ ବଡଭାଇ ତଥା ଅଭିଯୁକ୍ତ ସୁରେନ୍ଦ୍ର ଓ ତାଙ୍କ ପୁଅ ମୋହନ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଭାଇ ଭୀମଙ୍କ ମୃତ୍ୟୁ ଘଟିଥିଲା। ଅଭିଯୋଗ ପରେ ପୋଲିସ ଉଭୟ ବାପା-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡ଼ା ମାମଲା ପରିଚାଳନା କରିଥିଲେ।