ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଗୁଣି ଗାରେଡି ସନ୍ଦେହରେ ହତ୍ୟା କରି ମୃତଦେହକୁ…

ଲାଞ୍ଜିଗଡ, ୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ବେଡାଗାଁ ପଞ୍ଚାୟତ ମନସ୍ତରା ଗାଁର ବୃଦ୍ଧ ଏକୁନା ମାଝୀ(୭୪)ଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଥିରେ ପୋଲିସ ତିନି ଅଭିଯୁକ୍ତ ମନସ୍ତରା ଗାଁର ନରେଶ ମାଝୀ (୨୬), ଚକ୍ର ମାଝୀ (୨୨) ଓ ମୁରଲୀ ମାଝୀ(୨୮)ଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ ଆବେଦନ ନାମଞ୍ଜୁର ହେବାରୁ ତିନିଜଣଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସୂଚନାନୁସାରେ ବୃଦ୍ଧ ଏକୁନା ମାଝୀ ଗତ ଅଗଷ୍ଟ ୨୮ ତାରିଖରୁ ନିଖୋଜ ହୋଇଥିଲେ । ଏହାକୁ ନେଇ ପୁଅ ମଙ୍ଗଳା ମାଝୀ ୨୮ ତାରିଖରେ ହିଁ ବିଶ୍ୱନାଥପୁର ଥାନାରେ ବାପାର ନିଖୋଜକୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ପୋଲିସ ମନସ୍ତରା ଗାଁକୁ ଯାଇ ତଦନ୍ତ ଚଲାଇଥିଲା । ୪ ଦିନ ପରେ ବୃଦ୍ଧଙ୍କ ମୃତ୍ୟୁ ରହସ୍ୟ ଉନ୍ମଚନ ହୋଇଥିଲା । ଏହାକୁ ନେଇ ୩୧ ତାରିଖ ରବିବାର ପୋଲିସ ଏହି ଘଟଣାରେ ଗୁଣି ଗାରେଡି ସନ୍ଦେହରେ ଏହି ତିନିଜଣ ଯୁବକ ବୃଦ୍ଧଙ୍କୁ ହତ୍ୟା କରି ନିକଟସ୍ଥ ଜଙ୍ଗଲର ଏକ ଗଛରେ ଝୁଲାଇ ଦେଇଥିବା ଖବର ପାଇଥିଲେ। ଖବରପାଇ କେସିଙ୍ଗା ଏସଡ଼ିପିଓ ସନ୍ଦୀପ କୁମାର ମାଝୀ, ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ ଏବଂ ବିଶ୍ୱନାଥପୁର ଥାନା ପୋଲିସ ବଳ ସହିତ ରବିବାର ସନ୍ଧ୍ୟାବେଳେ ଘଟଣାସ୍ଥଳରୁ ବୃଦ୍ଧଙ୍କ ମୃତଦେହ ଜବତ କରିବା ସହ ସେଇ ମନସ୍ତରା ଗାଁର ତିନିଜଣ ଯୁବକଙ୍କୁ ମଧ୍ୟ ଥାନାକୁ ଆଣିଥିଲା। ତିନିଜଣ ଯୁବକଙ୍କୁ ଥାନାରେ ପଚରାଉଚରା ପରେ ଅଭିଯୁକ୍ତ ତିନିଜଣ ହତ୍ୟାକରିଥିବା ପୋଲିସ ଆଗରେ ସ୍ବୀକାର କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ରବିବାର ସନ୍ଧ୍ୟା ହୋଇଯିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇନଥିବା ବେଳେ ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ବିଶ୍ୱନାଥପୁର ଥାନା କେଶ ନଂ ୫୭/୨୫ ରେ ଏକ ମାମଲା ରୁଜୁ କରି ଧାରା ୧୦୩(୧)/୩(୫) ବିଏନଏସ ଅନୁଯାୟୀ ତିନି ଅଭିଯୁକ୍ତ ମନସ୍ତରା ଗାଁର ନରେଶ ମାଝୀ , ଚକ୍ର ମାଝୀ ଓ ମୁରଲୀ ମାଝୀଙ୍କୁ କୋର୍ଟ ଚାଲାଣ କରିଥିବା ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବର ପ୍ରକାଶ କରିଛନ୍ତି ।