ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଆନନ୍ଦପୁର, ୧୩।୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ଆନନ୍ଦପୁର ଅତିରିକ୍ତ ଜଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଶୁକ୍ରବାର ଏସଟି କେସ ନଂ ୫୪/୨୦୨୨ର ବିୟର କରାଯାଇ ଅଭିଯୁକ୍ତକୁ ଆଜୀବନ କାରା ଦଣ୍ଡାଦେଶର ରାୟ ପ୍ରକାଶ ପାଇଛି। ଏହା ସହିତ ଅଭିଯୁକ୍ତଙ୍କୁ ୧ ଲକ୍ଷ ଟଙ୍କାର ଜରିମାନାର ଆଦେଶ ହୋଇଥିବାବେଳେ ଜରିମାନା ଅନାଦେୟ ଅତିରିକ୍ତ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ନନ୍ଦିପଦା ଥାନା ଅଁରା ଗ୍ରାମର ବିଜନ ବେହେରାଙ୍କୁ ଏହି ଦଣ୍ଡାଦେଶ ହୋଇଛି। ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ ଦେବଦତ୍ତ ଦାସ ମହାପାତ୍ର ଏହି ରାୟ ପ୍ରକାଶ କରିଛନ୍ତି। ୧୯ ଜଣ ସାକ୍ଷୀଙ୍କ ବୟାନ ଏବଂ ୨୧ ଗୋଟି ଦସ୍ତାବିଜକୁ ଆଧାର କରି ଅତିରିକ୍ତ ଜିଲା ଦୌରାଜଜ ଏହି ରାୟ ପ୍ରକାଶ କରିଥିବା ଡେପୁଟି ଡାଇରେକ୍ଟର ଅଫ ପ୍ରସିକ୍ୟୁସନ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ତତ୍ତ୍ୱାବଧାନରେ ସରକାରଙ୍କ ତରଫରୁ ମାମଲା ପରିକଳ୍ପନା କରୁଥିବା ସରକାରୀ ଆଇନଜୀବୀ ସୌମିତ୍ରୀ କୁମାର ରାଉତ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ହାଟଡିହୀ ବ୍ଳକ ଅଁରା ଗ୍ରାମର ଆନନ୍ଦ ଚନ୍ଦ୍ର ନାୟକ ୨୦.୧୧.୨୦୨ ସନ୍ଧ୍ୟା ସମୟରେ ଗ୍ରାମର ଏକ ବୈଠକରେ ଯୋଗଦେବାକୁ ଆସିଥିଲେ । ସଭା କାର୍ଯ୍ୟ ସ୍କୁଲୁଥିବା ସମୟରେ ଗ୍ରାମର ବିଜନ କୁମାର ବେହେରା ଏକ କ୍ରିକେଟ ବ୍ୟାଟ ଦ୍ବାରା ଆନନ୍ଦଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ । ଘଟଣାରେ ଆନନ୍ଦ ଗୁରୁତର ଆହତ ହୋଇ ପ୍ରଥମେ ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିବା ସମୟରେ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଆନନ୍ଦଙ୍କ ସ୍ତ୍ରୀ ମଞ୍ଜୁଲତା ନାୟକ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନନ୍ଦିପଦା ପୁଲିସ କେସ ନଂ ୧୫୧/୨୦୨୦ ଦଫା ୧୪୭, ୧୪୮, ୨୯୪, ୩୦୨, ୩୫୪, ୫୦୬, ୧୪୯ ରେ ମମଲା ରୁଜୁ କରିଥିଲେ।

 

Dharitri – The Largest & Most Trusted Odia Daily