ହତ୍ୟା ଅଭିଯୁକ୍ତଙ୍କୁ ୬ ବର୍ଷ ପରେ କରାଗଲା ଗିରଫ, ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା

ଲାଞ୍ଜିଗଡ଼,୨୪।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତ ଅଞ୍ଚଳର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ୬ବର୍ଷ ପରେ ଗିରଫ ହୋଇଛି। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ ଆମଠାପଦର ଗ୍ରାମର ବାଚୁ ମାଝୀ (୪୬)। ସୂଚନାନୁସାରେ ଆମଠାପଦର ଗ୍ରାମର ପୂର୍ଣ୍ଣ ମାଝୀ, ବାଚୁ ମାଝୀ ଓ ପବନ ମାଝୀ ୨୦୧୯ ମସିହା ମେ ମାସରେ ନିକଟସ୍ଥ ରାୟଗଡା ଜିଲା କଲ୍ୟାଣିସିଂପୁର ବ୍ଲକର ଖୁରୁଷ ମୁହିଁ ଗାଁକୁ ଟୁକିମରା ପର୍ବ ଦେଖିବାକୁ ଯାଉଥିଲେ। ବାଟରେ ଜଙ୍ଗଲ ରାସ୍ତାରେ ପୂର୍ଣ୍ଣ ମାଝୀ(୩୩)ଙ୍କୁ ବାଚୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିଲେ। ଏ ନେଇ ବିଜେପୁର ଥାନାରେ ଏକ ମାମଲା (ନଂ.୫/୨୦୧୯)ରୁଜୁ କରାଯାଇ ତଦନ୍ତ ଚାଲିଥିବାବେଳେ ଅଭିଯୁକ୍ତ କେଉଁଆଡେ ଫେରାର ହୋଇଯାଇଥିଲେ। ହେଲେ ମୃତ ପୂର୍ଣ୍ଣ ମାଝୀର ପରିବାର ଲୋକେ ପୋଲିସକୁ କହିଥିଲେ, ବାଚୁ ମାଝୀ ହତ୍ୟା କରିବା ପରେ ତାର ପରିବାର ସହ ଯାଇ ବିଜେପୁର ଥାନା ନିକଟରେ ଥିବା ଗାଡାରା ଗୁଡା ଗାଁରେ ରହୁଛି। କିନ୍ତୁ ସେମାନେ ବାରମ୍ବାର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ବାଚୁକୁ ଧରି ପାରି ନ ଥିଲା। ଯାହା ଫଳରେ ବାଚୁ ଆମଠାପଦର ଗ୍ରାମର ମୃତ ପୂର୍ଣ୍ଣର ପରିବାରକୁ ସହଯୋଗ କରୁଥିବା ୧୦ଲୋକଙ୍କୁ ହତ୍ୟା କରିବି ବୋଲି ଧମକ ଦେଇଥିଲା ବୋଲି ମୃତ ପୂର୍ଣ୍ଣର ବଡଭାଇ ବୁଟି ମାଝୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ହେଲେ ଏହି ଘଟଣା ମଧ୍ୟ ପୋଲିସକୁ ଜଣାଇ ଥିଲେ ମଧ୍ୟ ପୋଲିସ ଗୁରୁତର ମନେ କରି ନ ଥିଲା। ଦୀର୍ଘ ଛଅ ବର୍ଷ ହେବ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିବାବେଳେ ପାଇ ନ ଥିଲେ I ରବିବାର କୌଣସି ସୂତ୍ରରୁ ଖବରପାଇ ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନୀଙ୍କ ନେତୃତ୍ୱରେ ଏସଆଇ ଶ୍ୟାମ କୁଲସୀକା ଓ ପୋଲିସ ବଳ ସହିତ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ତଳକାଲୀମା ନିକଟସ୍ଥ ସିମିଳିଭଟା ଗ୍ରାମରୁ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

 

Dharitri – The Largest & Most Trusted Odia Daily