କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି ଭାବବିହ୍ବଳ କରି ପକାଇଥିଲା, ମଥୁରାନଗରୀରେ କଂସଙ୍କ ଅତ୍ୟାଚାର ସମଗ୍ର ମଥୁରାବାସୀଙ୍କୁ ଭୟଭୀତ କରି ପକାଇଥିଲା। ଉଭୟ ଗୋପପୁର ଏବଂ ମଥୁରାନଗରୀର ଦୃଶ୍ୟାଭିନୟ ଗୁଡ଼ିକ ଅତି ଚମତ୍କାର ହୋଇଥିବାବେଳେ ଅନ୍ୟଦିନ ଅପେକ୍ଷା ଦର୍ଶକଙ୍କ ଆଶାତୀତ ଭିଡ଼ ଜମିଥିଲା।
ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ମହାମନ୍ତ୍ରୀ ଅକ୍ରୂର ନନ୍ଦ ଭବନରୁ ବାହାରିଥିଲେ। ବେନିଭାଇ ଗୋପ ପରିକ୍ରମା କରି ଗୋପ ମଣ୍ଡପରେ ପହଞ୍ଚିଥିଲେ। ସେଠାରେ ଗୋପବାସୀ ବେନିଭାଇଙ୍କ ସମେତ ଅକ୍ରୂରଙ୍କୁ ପୂଜାର୍ଚ୍ଚନା କରିଥିଲେ। ଅକ୍ରୂର ବେନିଭାଇଙ୍କୁ ଧରି ମଥୁରା ଅଭିମୁଖେ ବାହାରୁଥିବାବେଳେ ନନ୍ଦରାଜା, ନନ୍ଦରାଣୀ ବାଟ ଓଗାଳିଥିଲେ। ଶ୍ରୀକୃଷ୍ଣଙ୍କୁ ମେଲାଣି ଦେବା ସମୟରେ ନନ୍ଦରାଣୀ, ନନ୍ଦରାଜାଙ୍କ ସମେତ ସମସ୍ତ ଗୋପବାସୀ ଭାବବିହ୍ବଳ ହୋଇ ପଡ଼ିଥିଲେ। ଶ୍ରୀକୃଷ୍ଣଙ୍କ ବିରହରେ ରାଧା ପଥରୋଧ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେଥିରେ ବିଫଳ ହୋଇଥିଲେ। ସେହିପରି ଗୋପୀ, ଗୋପାଙ୍ଗନା ଏବଂ ଗୋପାଳ ବାଳକମାନେ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଅନ୍ୟପଟେ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ମହାମନ୍ତ୍ରୀ ଅକ୍ରୂର ମଥୁରାରେ ପ୍ରବେଶ କରିଥିଲେ।
ଅନ୍ୟପକ୍ଷେ ଶୂନ୍ୟବାଣୀ ଶୁଣିବା ପରଠାରୁ ମଥୁରାନଗରୀରେ କଂସ ମହାରାଜଙ୍କ ଅତ୍ୟାଚାର ଆହୁରି ବଢ଼ି ଚାଲିଛି। ଅନ୍ୟଦିନ ଭଳି ମଥୁରାଧିପତି ରାଜମହଲରୁ ମଥୁରାନଗରୀ ଭ୍ରମଣରେ ବାହାରିଥିଲେ। ନିଜ ପାତ୍ରମନ୍ତ୍ରୀଙ୍କ ସହିତ ସେ ଆମ୍ରବନ (ଗୋବିନ୍ଦପାଲି ହନୁମାନ ମନ୍ଦିର) ପ୍ରାଙ୍ଗଣରେ ପହଞ୍ଚିଥିଲେ। ସେଠାରେ ତପସ୍ୟାରତ ମୁନିଋଷିଙ୍କ ଉପରେ କଂସ ମହାରାଜ ଅତ୍ୟାଚାର କରିଥିଲେ। ଯଜ୍ଞ ମଣ୍ଡପକୁ ଭାଙ୍ଗି ଦେଇଥିବାବେଳେ ମୁନିଋଷିଙ୍କୁ ଚାବୁକରେ ପ୍ରହାର କରିଥିଲେ। ସେହିପରି କଂସଙ୍କ ଆଦେଶକ୍ରମେ ପାତ୍ରମନ୍ତ୍ରୀ, ସୈନ୍ୟ ସାମନ୍ତ ମୁନିଋଷିଙ୍କୁ ସେଠାରୁ ଧରି ଆଣି କାରାଗାରରେ ବନ୍ଦୀ ରଖିଥିଲେ। ଏହାପରେ ରଙ୍ଗମହଲକୁ ଆସି କଂସ ମହାରାଜ ସାଂସ୍କୃତିକ ଦଳର ନାଚଗୀତରେ ମସଗୁଲ ହୋଇଥିଲେ। ଏହାପରେ ସେଠାରୁ ସେ ଲୋକ ମଣ୍ଡପ ପଡ଼ିଆସ୍ଥିତ ରାଜଦରବାରକୁ ଯାଇଥିଲେ ଏବଂ ରାଜ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ।

 

Dharitri – Odisha’s No.1 Odia Daily

 

Share