ଆମେରିକା ମାଟିରୁ ଭାରତକୁ ଧମକ ଦେଲେ ମୁନିର: କହିଲେ, ଧ୍ୱଂସ କରିଦେବୁ

ଓ୍ବାଶିଂଟନ,୧୧/୮:ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ୍‌ ମୁନିର ରବିବାର ଆମେରିକା ମାଟିରୁ ଭାରତକୁ ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ଭାରତ ଏକ ଡ୍ୟାମ୍‌ ନିର୍ମାଣ କରିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ। ଭାରତ ଯେତେବେଳେ ସିନ୍ଧୁ ନଦୀରେ ଡ୍ୟାମ୍‌ ନିର୍ମାଣ ସମ୍ପୂର୍ଣ୍ଣ କରିବ, ସେତେବେଳେ ଆମେ ୧୦ ମିଶାଇଲ ମାଡ଼କରି ତାକୁ ଧ୍ୱଂସ କରିଦେବୁ ବୋଲି ଫ୍ଲୋରିଡାର ଟାମ୍ପାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁନିର କହିଛନ୍ତି। ଗତ ଜୁନ୍‌ ୧୮ରେ ମୁନିର ଆମେରିକା ଯାଇ ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିଥିଲେ। ସେଠାରୁ ପାକିସ୍ତାନକୁ ଫେରିବା ପରେ ଟ୍ରମ୍ପ୍‌ଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ପାଇଁ ମୁନିର ସୁପାରିସ କରିଥିଲେ। ନିକଟରେ ଟ୍ରମ୍ପ୍‌ ଭାରତ ଉପରେ ଦୁଇଟି ପର୍ଯ୍ୟାୟରେ ୫୦% ଟାରିଫ୍‌ ଘୋଷଣା କରିବା ପରେ ଭାରତ-ଆମେରିକା ସମ୍ପର୍କ ୨୦ ବର୍ଷରେ ସବୁଠୁ ଅଧିକ ତିକ୍ତତାପୂର୍ଣ୍ଣ ହୋଇଛି। ଏଭଳି ସମୟରେ ମୁନିର ୨ ମାସ ମଧ୍ୟରେ ଦ୍ୱିତୀୟ ଥର ଆମେରିକା ଗସ୍ତ କରିଛନ୍ତି। ପାକିସ୍ତାନର ଏହି ପ୍ରଭାବଶାଳୀ ସାମରିକ ଅଧିକାରୀ ହ୍ବାଇଟ୍‌ ହାଉସ୍‌ର ବିନା ପ୍ରୋତ୍ସାହନରେ ଭାରତକୁ ଏଭଳି ଧମକ ଦେବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହିଲେଣି।
ପାକିସ୍ତାନୀ ସେନାମୁଖ୍ୟ ମୁନିର ଟାମ୍ପାସ୍ଥିତ ୟୁଏସ୍‌ ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍‌)ର କମାଣ୍ଡର ଜେନେରାଲ ମାଇକେଲ ଇ କୁରିଲାଙ୍କ ଅବସର ଗ୍ରହଣ ଏବଂ ନୂତନ କମାଣ୍ଡର ଆଡ୍‌ମିରାଲ ବ୍ରାଡ୍‌ କୁପରଙ୍କ ଶପଥ ସମାରୋହରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭାରତରୁ ପାକିସ୍ତାନକୁ ନଦୀଜଳ ପ୍ରବାହରେ ପ୍ରତିବନ୍ଧକ ସୃଷ୍ଟି କରିବା ଭଳି ନୂଆଦିଲ୍ଲୀ କୌଣସି ଡ୍ୟାମ୍‌ ନିର୍ମାଣ କଲେ ଆମେ ତାକୁ ଧ୍ୱଂସ କରିଦେବୁ। ପାକିସ୍ତାନ ଏକ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର। ପାକିସ୍ତାନର ଅସ୍ତିତ୍ୱ ସଙ୍କଟ ସୃଷ୍ଟି ହେଲେ ଆମେ ଖସୁଛୁ ବୋଲି ଯଦି ମନେକରିବୁ ତେବେ ଅଧା ବିଶ୍ୱକୁ ଖସାଇଦେବୁ। ସିନ୍ଧୁ ନଦୀ ଭାରତୀୟମାନଙ୍କ ପାରିବାରିକ ସମ୍ପତ୍ତି ନୁହେଁ। ଆଲ୍ଲାଙ୍କ କୃପାରୁ ଆମ ପାଖରେ ମିଶାଇଲ୍‌ର ଅଭାବ ନାହିଁ। ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୨ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସଶସ୍ତ୍ର ବଳର ଅପରେଶନ ସିନ୍ଦୂର ସମୟରେ ଭାରତର କେତୋଟି ଯୁଦ୍ଧବିମାନ ଖସିଥିବା ବିଷୟ ଉଭୟ ପକ୍ଷ ସୂତ୍ରରୁ ପ୍ରକାଶ ପାଉଛି। ଏଭଳି ସମୟରେ ଟ୍ରମ୍ପ୍‌ ଭାରତ ଉପରେ ଉଚ୍ଚ ଟାରିଫ୍‌ କଷିଥିବାରୁ ଓ୍ବାଶିଂଟନ-ନୂଆଦିଲ୍ଲୀ ଏକପ୍ରକାର ମୁହଁାମୁହିଁ ସ୍ଥିତିକୁ ଆସିଯାଇଛନ୍ତି। ସେପଟେ ୨ ମାସ ନ ପୂରୁଣୁ ମୁନିର ପୁଣି ଆମେରିକା ଯିବା ଏବଂ ଶକ୍ତିଶାଳୀ ରାଷ୍ଟ୍ରରୁ ଭାରତକୁ ଧମକ ଦେବା ଅନେକ ପ୍ରଶ୍ନ ଛିଡ଼ା କରାଇଛି।

Share