ଇସ୍ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍ ଥିବା ଫିଲ୍ଡ ମାର୍ଶଲ ଆସିମ୍ ସୟେଦ ମୁନିରଙ୍କୁ ଦେଶର ପ୍ରଥମ ସିଡିଏଫ୍ ରୂପେ ଆଗାମୀ ୫ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ମୁନିର ସିଡିଏଫ୍ ପଦବୀରେ ରହିବା ଫଳରେ ତାଙ୍କ ହାତରେ କେବଳ ୩ ସେନା ରହିବ ତାହା ନୁହେଁ, ପାକିସ୍ତାନର ଆଣବିକ ଅସ୍ତ୍ର ଓ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ଜାତୀୟ ରଣନୈତିକ କମାଣ୍ଡ୍ ମଧ୍ୟ ସେ ସମ୍ଭାଳିବେ। ନୂଆ ନିଯୁକ୍ତି ପରେ ମୁନିର ରାଷ୍ଟ୍ରପତିଙ୍କ ଭଳି ଆଇନଗତ ସୁରକ୍ଷା ପାଇବେ। ଫଳରେ ତାଙ୍କ ବିରୋଧରେ ଆଜୀବନ କୌଣସି ମାମଲା ରୁଜୁ କରାଯାଇପାରିବ ନାହିଁ। ଆଜୀବନ ଦଣ୍ଡମୁକ୍ତି ସୁବିଧା ବାୟୁସେନା ଓ ନୌସେନା ମୁଖ୍ୟଙ୍କ ପାଇଁ ମଧ୍ୟ ଲାଗୁହେବ ବୋଲି ଉକ୍ତ ବିବୃତିରୁ ଜଣାପଡ଼ିଛି।
ବର୍ଷ ପରେ ମୁନିର ସିଡିଏଫ୍ ପଦବୀରେ ରହିବାକୁ ଚାହୁଁଥିବା ନେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିକଟରେ ଆଗ୍ରହ ପ୍ରକାଶ କଲେ ସେମାନେ ମନା କରିପାରିବେ ନାହିଁ। ୨୭ତମ ସମ୍ବିଧାନ ସଂଶୋଧନ ବଳରେ ସିଡିଏଫ୍ଙ୍କୁ ଏହି କ୍ଷମତା ଦିଆଯାଇଛି। ଏଥିସହ ଉକ୍ତ ସଂଶୋଧନ ସେନା ଉପରେ ନିର୍ବାଚିତ ସରକାରଙ୍କ କର୍ତ୍ତୃତ୍ୱକୁ ମଧ୍ୟ ହ୍ରାସ କରିଦେଇଛି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ସିଡିଏଫ୍ ଭାଇସ୍ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ (ଭିସିଓଏଏସ୍) ନିଯୁକ୍ତି ପାଇଁ ସଂଘୀୟ ସରକାରଙ୍କୁ ନାମ ସୁପାରିସ କରିପାରିବେ। ଏହା ପୂର୍ବରୁ ଏଭଳି ନିଯୁକ୍ତି କ୍ଷମତା ସରକାରଙ୍କ ନିକଟରେ ରହିଥିଲା।
ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଇତିହାସରେ ଉଭୟ ୫-ଷ୍ଟାର ର଼୍ୟାଙ୍କ୍ ଧାରଣ ସହ ସିଓଏଏସ୍ ଏବଂ ସିଡିଏଫ୍ ପଦବୀ ଅଳଙ୍କୃତ କରିବାରେ ମୁନିର ପ୍ରଥମ ସାମରିକ ଅଧିକାରୀ। ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ତତ୍କାଳୀନ ସେନାମୁଖ୍ୟ ଜେନେରାଲ ଆୟୁବ ଖାନ୍ଙ୍କୁ ଫିଲ୍ଡ ମାର୍ଶଲ ଟାଇଟଲ ଦିଆଯାଇଥିଲା। ଆୟୁବଙ୍କ ପରେ ମୁନିର ଦ୍ୱିତୀୟ ସେନା ଅଧିକାରୀ ରୂପେ ଫିଲ୍ଡ ମାର୍ଶଲ ହୋଇଛନ୍ତି। ଗତ ଏପ୍ରିଲରେ ପହଲଗାମ୍ ଆକ୍ରମଣରେ ୨୬ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା କରାଯିବା ପରେ ମେ’ରେ ଭାରତୀୟ ସଶସ୍ତ୍ର ବଳ ପାକିସ୍ତାନୀ ଆତଙ୍କବାଦୀଙ୍କ ଭିତ୍ତିଭୂମି ଧ୍ୱଂସ କରିବାକୁ ଯାଇ ‘ଅପରେଶନ୍ ସିନ୍ଦୂର’ ଚଳାଇଥିଲା। ଭାରତର ଏହି ସାମରିକ ଅଭିଯାନ ବନ୍ଦ ହୋଇଯିବା ପରେ ପାକିସ୍ତାନ ମୁନିରଙ୍କୁ ଫିଲ୍ଡ ମାର୍ଶଲ ଉପାଧି ପ୍ରଦାନ କରିଥିଲା।