ଆକ୍ରମଣ, ଗାଡ଼ି ଭଙ୍ଗାରୁଜାରେ ସରିଲା ନିର୍ବାଚନ

ପୋଲସରା,୨୪ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଏନ୍‌ଏସିରେ ଗୁରୁବାର କାଁ ଭାଁ ହିଂସା ମଧ୍ୟରେ ସରିଛି ପୌର ନିର୍ବାଚନ। ପୋଲସରା ଏନ୍‌ଏସିର ୧୯ ୱାର୍ଡ଼ରେ ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକ ସ୍ତରରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନରେ କାଁ ଭାଁ ହିଂସା ଦେଖିବାକୁ ମିଳିଥିଲା। କେଉଁଠି କାହାକୁ ଆକ୍ରମଣ ହୋଇଥିବା ବେଳେ କେଉଁଠି ଗାଡ଼ି ଭଙ୍ଗାରୁଜା ହୋଇଥିଲା। ପ୍ରମୁଖ ଘଟଣାକ୍ରମକୁ ନେଇ ପୋଲସରା ଥାନାରେ କୌଣସି ଏତଲା ଦାଏର ହୋଇ ନ ଥିବା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଥିଲେ। ପୌରନିର୍ବାଚନକୁ ନେଇ ୧୦ ୱାର୍ଡକୁ ପିଙ୍କ୍‌ ବୁଥ୍‌ ଓ ୧୯ ୱାର୍ଡର ୨୧ ନଂ ବୁଥ୍‌କୁ ଆଦର୍ଶ ବୁଥ୍‌ ଭାବେ ରୂପାନ୍ତରିତ କରାଯାଇଥିଲା। ପୋଲିସରରେ ୬୪.୪୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ଦିଲୀପ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି।