Surya Kumar Yadav of Mumbai Indians plays a shot during match 27 of season 13 of the Dream 11 Indian Premier League (IPL) between the Mumbai Indians and the Delhi Capitals at the Sheikh Zayed Stadium, Abu Dhabi in the United Arab Emirates on the 11th October 2020. Photo by: Pankaj Nangia / Sportzpics for BCCI
ଆବୁଧାବି, ୧୨।୧୦- କ୍ୱିଣ୍ଟନ ଡିକକ୍ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୪ ଉଇକେଟ ହରାଇ ୧୬୨ ରନ କରିଥିବାବେଳେ ମୁମ୍ବାଇ ୧୯.୪ ଓଭରରେ ୫ ଉଇକେଟ ହରାଇ ୧୬୬ ରନ ସଂଗ୍ରହ କରି ନେଇଥିଲା। ୭ ମ୍ୟାଚରୁ ପଞ୍ଚମ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି।
ଟାର୍ଗେଟ ବଡ଼ ନ ଥିଲେ ହେଁ ଅଧିନାୟକ ରୋହିତ ଶର୍ମାଙ୍କ ଉଇକେଟ ଶୀଘ୍ର ହରାଇ ମୁମ୍ବାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ତେବେ ସୂର୍ଯ୍ୟକୁମାର ଦ୍ୱିତୀୟ ଉଇକେଟରେ ଡିକକ୍ଙ୍କ ସହ ୪୬ ଓ ତୃତୀୟ ଉଇକେଟରେ ଇଶାନ କିଶନଙ୍କ ସହ ୫୩ ରନର ଭାଗୀଦାରି ଗଢ଼ି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଡିକକ୍ ୩୬ ବଲ୍ରୁ ୫୩(୪ ଚୌକା, ୩ ଛକା) ଓ ସୂର୍ଯ୍ୟକୁମାର ୩୨ ବଲ୍ରୁ ୫୩(୬ ଚୌକା, ୧ ଛକା) ରନ ସ୍କୋର କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଖାତାଖୋଲିପାରି ନ ଥିବାବେଳେ କିଶନ ୨୮(୧୫ ବଲ, ୨ ଚୌକା, ୨ ଛକା) ରନର ଯୋଗଦାନ ଦେଇଥିଲେ। କିରନ ପୋଲାର୍ଡ ୧୧ ଓ କୃନାଲ ପାଣ୍ଡ୍ୟା ୧୨ ରନରେ ଅପରାଜିତ ରହି ୨୦ତମ ଓଭରର ୪ର୍ଥ ବଲ୍ରେ ଦଳକୁ ଜିତାଇଥିଲେ। ଦିଲ୍ଲୀ ପକ୍ଷରୁ କାଗିଶୋ ରାବାଡ଼ା ୨ଟି ଏବଂ ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ ଓ ମାର୍କୁସ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ପ୍ରଥମ ଓଭରରେ ଇନ୍ଫର୍ମ ପୃଥ୍ବୀ ଶ’(୪)ଙ୍କୁ ଆଉଟ କରି ଦିଲ୍ଲୀକୁ ପ୍ରାରମ୍ଭିକ ଝଟ୍କା ଦେଇଥିଲେ ଟ୍ରେଣ୍ଟ ବୋଲ୍ଟ। ଚଳିତ ସିଜନରେ ପ୍ରଥମଥରପାଇଁ ସୁଯୋଗ ପାଇଥିବା ଅଜିଙ୍କ୍ୟ ରାହାନେ ମଧ୍ୟ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ସେ ୧୫ ବଲ୍ରୁ ୧୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଭିଜ୍ଞ ଶିଖର ଧାଓ୍ବନ ଓ ଅଧିନାୟକ ଶ୍ରେୟାସ ଆୟାର ତୃତୀୟ ଉଇକେଟ ଯୋଡ଼ିରେ ୬୨ ବଲ୍ରୁ ୮୫ ରନର ଭାଗୀଦାରି ଗଢ଼ି ଦଳକୁ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର କରାଇଥିଲେ। ୧୦ ଓଭର ବେଳକୁ ଦଳ ୮୦ ରନ ସଂଗ୍ରହ କରି ନେଇଥିଲା। ଆୟାରଙ୍କ ଉଇକେଟ ପତନ ସହ ଯୋଡ଼ି ଭାଙ୍ଗିବାପରେ ଦିଲ୍ଲୀର ରନହାରରେ ଅଙ୍କୁଶ ଲାଗିଥିଲା। ଆୟାର ୩୩ ବଲ୍ରୁ ୪୨(୫ ଚୌକା) ରନ କରି ଆଉଟ ହୋଇଥିବାବେଳେ ହାର୍ଡ ହିଟର ମାର୍କୁସ ଷ୍ଟୋଇନ୍ସ ୧୩ ରନ କରି ରନଆଉଟ ହୋଇ ଯାଇଥିଲେ। ଡେଥ୍ ଓଭରରେ ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମ୍ରା ଟାଇଟ୍ ବୋଲିଂ କରିଥିଲେ। ଫଳରେ ଧାଓ୍ବନ ୬୯(୫୨ ବଲ, ୬ ଚୌକା, ୧ ଛକା) ଓ ଆହତ ରିଷଭ ପନ୍ତଙ୍କ ସ୍ଥାନରେ ସୁଯୋଗ ପାଇଥିବା ଆଲେକ୍ସ କାରେ ୧୩(୮ ବଲ, ୨ ଚୌକା) ରନରେ ଅପରାଜିତ ରହିଥିଲେ ହେଁ ଦିଲ୍ଲୀ ସ୍କୋର ୨୦ ଓଭରରେ ୧୬୨/୪ରେ ସୀମିତ ରହିଥିଲା। ମୁମ୍ବାଇ ବୋଲରଙ୍କ ମଧ୍ୟରେ କୃନାଲ ପାଣ୍ଡ୍ୟା ୨ଟି ଓ ବୋଲ୍ଟ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୬୨/୪(ଧାଓ୍ବନ-୬୯*, ଆୟାର-୪୨, କୃନାଲ୍-୨/୨୬, ବୋଲ୍ଟ-୧/୩୬)। ମୁମ୍ବାଇ ଇଣ୍ଡିଆନ୍ସ ୧୯.୪ ଓଭରରେ ୧୬୬/୫(ଡିକକ୍-୫୩, ସୂର୍ଯ୍ୟକୁମାର-୫୩, କିଶନ-୨୮, ରାବାଡ଼ା-୨/୨୮, ଅକ୍ଷର-୧/୨୪, ଅଶ୍ୱିନ-୧/୩୫, ଷ୍ଟୋଇନିସ-୧/୩୧)।