Categories: HomeHome Left

ଝିଅଙ୍କ ପ୍ରେମିକଙ୍କୁ ଭଲପାଇ ବସିଲେ ମହିଳା, ଫେରାର ହୋଇଯିବାକୁ କରିଥିଲେ ବଡ଼ ପ୍ଲାନ; ହେଲେ…

ମୁମ୍ବାଇ,୧୧।୯: ହସଖୁସିରେ ଜୀବନ ଚାଲିଥିଲା। ହେଲେ ଝିଅଙ୍କ ପ୍ରେମିକଙ୍କୁ ହୃଦୟ ଦେଇ ବସିଲେ ମହିଳା। ଏହାପରେ ଫେରାର ହୋଇଯିବାକୁ ଯୋଜନା ବି କଲେ। ହେଲେ ଆଉ କିଛି ଘଟିଗଲା। ସହରର ଗୋରେଗାଁ ଅଞ୍ଚଳରୁ ଏଭଳି ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି।
ସୂଚନାନୁଯାୟୀ, ବିଏମ୍‌ସି କଲୋନିର ସନ୍ତୋଷନଗରରେ ରହୁଥିବା ରମେଶ ଧୋଣ୍ଡୁ ହଲ୍ଦିଭେଙ୍କ ଘରୁ ହଠାତ ସୁନାଗହଣା ଗାଏବ ହୋଇଯାଉଥିଲା। ତାଙ୍କ ପତ୍ନୀ ଉର୍ମିଳା ପ୍ରଥମେ ରମେଶଙ୍କ ଉପରେ ସନ୍ଦେହ ପ୍ରକାଶ କରୁଥିଲେ। ସେ ବାରମ୍ବାର ନିଜର ନିର୍ଦ୍ଦୋଷତାର ଦାବି କରିଥିଲେ, କିନ୍ତୁ ମାମଲା ପୋଲିସ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା।
ଦିଣ୍ଡୋଶି ପୋଲିସ ଯେତେବେଳେ ତଦନ୍ତ ଆରମ୍ଭ କଲା, ସେତେବେଳେ ଅନେକ ବିଷୟ ସନ୍ଦିଗ୍ଧ ଲାଗିଥିଲା। କଲ୍‌ ବିବରଣୀ ଏବଂ ଅନ୍ୟ ଯାଞ୍ଚରୁ ଜଣାପଡ଼ିଲା ଯେ ଉର୍ମିଳାଙ୍କ ଅନ୍ୟ ଏକ ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ପକରେ ଥିଲେ। ଯେଉଁ ବ୍ୟକ୍ତିଙ୍କ ସହିତ ମହିଳାଙ୍କର ସମ୍ପର୍କ ଚାଲୁଥିଲା, ସେ ତାଙ୍କ ଝିଅଙ୍କ ପ୍ରେମିକ ଥିଲେ।
ପୋଲିସର ପଚରାଉଚରା ପରେ ଉର୍ମିଳା ସ୍ବୀକାର କରିଥିଲେ ଯେ ସେ ଘରୁ ଗହଣା ଚୋରି କରିଥିଲେ। ସେଗୁଡ଼ିକୁ ନିଜର ପ୍ରେମୀଙ୍କୁ ଦେଇଥିଲେ, ଯାହା ଦ୍ୱାରା ସେ ତାଙ୍କ ସହିତ ପଳାଇବାର ଯୋଜନା କରିଥିଲେ। ପୋଲିସ ଉର୍ମିଳାଙ୍କ  ନିକଟରୁୁ ପ୍ରାୟ ୧୦.୫ ଭରି ସୁନା ଜବତ କରିଛି। ଏହା ବ୍ୟତୀତ ଗହଣାଗୁଡ଼ିକୁ ବିକ୍ରି କରି ପ୍ରେମୀଙ୍କ ଆକାଉଣ୍ଟରେ ପ୍ରାୟ ୧୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା।
ବର୍ତ୍ତମାନ ଉର୍ମିଳା ପୋଲିସ ହେପାଜତରେ ରହିଛନ୍ତି ଏବଂ ଯାଞ୍ଚ ଜାରି ରହିଛି ଯେ ଏହି ମାମଲାରେ ଆଉ କେହି ଜଡ଼ିତ କି ନାହିଁ। ସୋସିଆଲ ମିଡିଆ ମାଧ୍ୟମରେ ପ୍ରେମୀଙ୍କ ସହ ଯୋଗାଯୋଗ ରଖି ସେମାନେ ପଳାଇବାର ଯୋଜନା କରିଥିଲେ, ଯାହା ପୋଲିସଙ୍କୁ ଆଘାତ ଦେଇଛି।