Categories: ଖେଳ

ମୁମ୍ବାଇକୁ ହରାଇଲା ବେଙ୍ଗାଲୁରୁ

ବାମ୍ବୋଲିମ୍‌ ୧୬ା୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସି ୪-୨ ଗୋଲରେ ମୁମ୍ବାଇ ସିଟିକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ କ୍ଲିଟନ ସିଲ୍‌ଭା ୧ମ ଓ ୨୨ତମ ଏବଂ ସୁନୀଲ ଛେତ୍ରୀ ୫୭ତମ ଏବଂ ୯୦+୪ତମ ମିନିଟ୍‌ରେ ୨ଟି ଲେଖାଏଁ ଗୋଲ ସ୍କୋର କରିଥିଲେ। ମୁମ୍ବାଇ ସିଟି ତରଫରୁ ଆଡାମ ଲି’ ଫୋଣ୍ଡ୍ରେ ୫୦ତମ ଓ ୭୨ତମ ମିନିଟ୍‌ରେ ବ୍ୟକ୍ତିଗତ ଦୁଇଟି ଗୋଲ ଦେଇଥିଲେ। ସୋମବାର ଏହି ବିଜୟ ଦ୍ୱାରା ବେଙ୍ଗାଲରୁ ୧୮ ମ୍ୟାଚରୁ ୨୨ ପଏଣ୍ଟ ଅର୍ଜନ କରି ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ମୁମ୍ବାଇସିଟି ପରାଜିତ ହୋଇଥିଲେ ମଧ୍ୟ ୧୭ ମ୍ୟାଚରୁ ୩୪ ପଏଣ୍ଟ ସହ ପୂର୍ବଭଳି ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୮ ଜାନୁୟାରୀ ପରେ ମୁମ୍ବାଇ ସିଟି ବିପକ୍ଷରେ ବେଙ୍ଗାଲୁରୁ ଏଫ୍‌ସିର ଏହା ହେଉଛି ପ୍ରଥମ ବିଜୟ। ମୁମ୍ବାଇ ଦଳ ଏହି ମ୍ୟାଚରେ ଅପେକ୍ଷାକୃତ ଭଲ ଖେଳିଥିଲେ ମଧ୍ୟ ପରାଜିତ ହୋଇଥିଲା। ବଲ୍‌ ମ୍ୟାଚର ୭୨% ସମୟ ମୁମ୍ବାଇ ନିୟନ୍ତ୍ରଣରେ ରହିଥିଲା। ଦଳର ପାସ୍‌ ସଂଖ୍ୟା ୪୮୧ ରହିଥିବାବେଳେ ବେଙ୍ଗାଲୁରୁର ୧୯୫ ରହିଥିଲା। ସେହିପରି ମୁମ୍ବାଇର ପାସ୍‌ ଆକ୍ୟୁରେସି ୮୩% ରହିଥିଲା। ଦଳକୁ ୧୦ଟି କର୍ନର ମିଳିଥିବାବେଳେ ବେଙ୍ଗାଲୁରକୁ ୩ଟି ମିଳିଥିଲା। ମୁମ୍ବାଇ ସିଟି ମ୍ୟାନେଜର ସର୍ଗିଓ ଲୋବେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ଦଳର ପ୍ରଦର୍ଶନରେ ସେ ସନ୍ତୁଷ୍ଟ ନୁହଁନ୍ତି। ପରବର୍ତ୍ତୀ ଦୁଇଟି ମ୍ୟାଚ ପୂର୍ବରୁ ଦଳର ଦୋଷ ତ୍ରୁଟିକୁ ସଜାଡ଼ିବାକୁ ପଡ଼ିବ।

Share