Roy Krishna of ATKMB and Hernan Santana of Mumbai City FC fight for ball during match 55 of the 7th season of the Hero Indian Super League between ATK Mohun Bagan vs Mumbai City FC held at the Fatorda Stadium, Goa, India on the 11th January 2021 Photo by Arjun Singh / Sportzpics for ISL
ଫତୋର୍ଦା, ୧୨।୧: ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ସୋମବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସି ୧-୦ ଗୋଲରେ ଏଟିକେ ମୋହନବାଗାନକୁ ପରାସ୍ତ କରିଛି। ମ୍ୟାଚର ୬୯ତମ ମିନିଟରେ ମାର୍ତୋଲୋମ୍ୟୁ ଓଗ୍ବେଚେ ସ୍କୋର କରିଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ବିଜୟୀ ଦଳର ହ୍ୟୁଗୋ ବୌମସ ପାସ୍ ଅଫ୍ ଦି ମ୍ୟାଚ ଏବଂ ଓଗ୍ବେଚେ ହିରୋ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଟୁର୍ନାମେଣ୍ଟରେ ଏହାଥିଲା ମୁମ୍ବାଇର ୮ମ ବିଜୟ। ୧୦ ମ୍ୟାଚ ଖେଳିଥିବା ମୁମ୍ବାଇ ୮ ବିଜୟ ବ୍ୟତୀତ ଗୋଟିଏ ଲେଖାଏ ଡ୍ର ଏବଂ ପରାଜୟ ସହ ୨୫ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ନିଜର ସ୍ଥାନକୁ ଦୃଢ଼ କରିଛି। ଦଳ ୧୭ଟି ଗୋଲ ଦେଇଥିବାବେଳେ ମାତ୍ର ୪ଟି ବରଣ କରିଛି। ଫଳରେ ଗୋଲ ବ୍ୟବଧାନରେ ଦଳ +୧୩ରେ ରହିଛି। ଏହା ବ୍ୟତୀତ ଦଳ କ୍ରମାଗତ ୯ ମ୍ୟାଚରେ ଅପରାଜେୟ ରହିଛି। ଏହା ମଧ୍ୟରେ ୮ ବିଜୟ ଓ ଗୋଟିଏ ଡ୍ର ସାମିଲ। ଦ୍ୱିତୀୟ ସ୍ଥାନରେ ଥିବା ଏଟିକେଠାରୁ ମୁମ୍ବାଇ ୫ ପଏଣ୍ଟ ବ୍ୟବଧାନରେ ଆଗୁଆ ରହିଛି। ଏଟିକେ ୧୦ଟି ମ୍ୟାଚ ଖେଳି ସାରିଥିବାବେଳେ ୬ ବିଜୟ ଏବଂ ୨ଟି ଲେଖାଏ ଡ୍ର ଓ ପରାଜୟ ସହ ୨୦ ପଏଣ୍ଟରେ ସ୍ଥିର ରହିଛି। ଏହି ଦଳ ୧୦ଟି ଗୋଲ ଦେଇଥିବାବେଳେ ୪ଟି ବରଣ କରିଛି। ଗୋଲ ବ୍ୟବଧାନ +୬ ରହିଛି। କ୍ରମାଗତ ୫ ମ୍ୟାଚରେ ଅପରାଜେୟ ରହିବାପରେ ଏଟିକେର ଏହା ପ୍ରଥମ ପରାଜୟ। ପ୍ରଥମାର୍ଦ୍ଧରେ ମୁଖ୍ୟତଃ ମୁମ୍ବାଇର ଆକ୍ରମଣ ଏବଂ ଏଟିକେର ରକ୍ଷଣାତ୍ମକ ବିଭାଗ ମଧ୍ୟରେ ମୁକାବିଲା ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିବାବେଳେ ଦ୍ୱିତୀୟାର୍ଦ୍ଧରେ ଗୋଲ ଦେଇ ହିରୋ ସାଜିଥିଲେ ମୁମ୍ବାଇର ଓଗ୍ବେଚେ।