ବର୍ଷାରେ ମୁମ୍ବାଇ ବେହାଲ

ମୁମ୍ବାଇ, ୧୯ା୮: ଭୀଷଣ ବର୍ଷା ଯୋଗୁ ସୋମବାର ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ସହରର ଅନେକ ସ୍ଥାନ ବର୍ଷାପାଣିରେ ଜଳମଗ୍ନ ହୋଇଯାଇଥିବା ବେଳେ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିହନ୍‌ ମୁମ୍ବାଇ ମ୍ୟୁନିଶପାଲ କର୍ପୋରେଶନ (ବିଏମ୍‌ସି) ପକ୍ଷରୁ ସୋମବାର ସହରର ସମସ୍ତ ସ୍କୁଲ ଏବଂ କଲେଜକୁ ବନ୍ଦ କରିବା ପାଇଁ ଘୋଷଣା କରାଯାଇଥିଲା। ସେହିପରି ଲଗାଣ ବର୍ଷାରେ ମୁମ୍ବାଇରେ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ସହରର ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲାଣ୍ଡିଂ ପୂର୍ବରୁ ୯ ବିମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେହିପରି ଖରାପ ପାଗ ଯୋଗୁ ମୁମ୍ବାଇରେ ଲାଣ୍ଡିଂ ହେବାକୁ ଥିବା ଏକ ଫ୍ଲାଇଟକୁ ଗୁଜରାଟର ସୁରଟରେ ଜରୁରୀ ଅବତରଣ କରାଯାଇଥିଲା। ବର୍ଷାକୁ ଦୃଷ୍ଟିରେ ରଖି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବାକୁ ବିଏମ୍‌ସି ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସହରର ଅନ୍ଧେରୀ, ଲୋଖଣ୍ଡ୍‌ଓ୍ବାଲା ପରି ତଳିଆ ଅଞ୍ଚଳରେ ପାଣି ଜମା ହୋଇ ରହିଥିଲା, ଯାହା ଗମନାଗମନକୁ ପ୍ରଭାବିତ କରିବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିଥିଲା। ସେହିପରି ସହରର ବିଭିନ୍ନ ଟ୍ରେନ୍‌ ବିଳମ୍ବରେ ଚାଲୁଥିବା ନେଇ ସ୍ଥାନୀୟ ଅଧିକାରୀ କହିଛନ୍ତି। ସୋମବାର ମାତ୍ର ୬ରୁ ୮ ଘଣ୍ଟାର ସମୟ ମଧ୍ୟରେ ମୁମ୍ବାଇରେ ୧୭୭ ମିଲିମିଟର ବର୍ଷା ହୋଇଥିବା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ସୂଚନା ଦେଇଛନ୍ତି। ଲଗାଣ ବର୍ଷାରେ ନାନ୍ଦେଡ଼ ଜିଲାର ମୁଖେଡ ଅଞ୍ଚଳରେ ୫ ଜଣ ନିଖୋଜ ରହିଛନ୍ତି। ସେହିପରି ଜିଲାରେ ଭୀଷଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟାରେ ୨୦୦ ଜଣ ଫସି ରହିଥିବା ନେଇ ସେ ସୂଚନା ଦେଇଛନ୍ତି। ସେମାନଙ୍କୁ ଉଦ୍ଧାରକରିବା ପାଇଁ ଭାରତୀୟ ସେନାର ଏକ ୟୁନିଟ୍‌କୁ ଡକାଯାଇଛି। ସମ୍ପ୍ରତି ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌) ଘଟଣା ସ୍ଥଳରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଥିବା ଫଡ୍‌ନବିସ୍‌ କହିଛନ୍ତି।
ମୁମ୍ବାଇ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ରାଇଗଡ଼ ଜିଲାରେ ମଙ୍ଗଳବାର ପର୍ଯ୍ୟନ୍ତ ଭୀଷଣ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରେଡ୍‌ ଓ୍ବାର୍ନିଂ ଜାରି କରିଛି। ସେହିପରି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମହାରାଷ୍ଟ୍ରର ୧୫ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ଏବଂ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।

Share
Tags: Mumbairain