ମୁମ୍ବାଇ ବିମାନବନ୍ଦରରେ ଏୟାର ଇଣ୍ଡିଆ-ଇଣ୍ଡିଗୋ ବିମାନ ଧକ୍କା, ଦୁର୍ଘଟଣା ପରେ ଯାତ୍ରୀ…

ମୁମ୍ବାଇ,୩।୨: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। ରନୱେରେ ଟାକ୍ସି କରୁଥିବା ସମୟରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋର ଦୁଇଟି ବିମାନର ଡେଣା ପରସ୍ପର ସହ ଧକ୍କା ହୋଇଛି। ତେବେ ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ କେହି ଆହତ ହୋଇନାହାନ୍ତି।

ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ବିମାନ ମୁମ୍ବାଇରୁ କୋଏମ୍ବାଟୁର ଯିବା ପାଇଁ ରନୱେରେ ପୁସବ୍ୟାକ୍ ପ୍ରକ୍ରିୟାରେ ଥିଲା। ଏହି ସମୟରେ ହାଇଦ୍ରାବାଦରୁ ଆସିଥିବା ଇଣ୍ଡିଗୋ ବିମାନଟି ଅବତରଣ ପରେ ଟାକ୍ସି କରୁଥିବା ସମୟରେ ଏୟାର ଇଣ୍ଡିଆ ବିମାନର ଅତି ନିକଟକୁ ଚାଲିଆସିଥିଲା।

ଏହି ସମୟରେ ଉଭୟ ବିମାନର ଡାହାଣ ପାର୍ଶ୍ୱର ଡେଣା ପରସ୍ପର ସହ ପିଟି ହୋଇଯାଇଥିଲା, ଯାହାଫଳରେ ଏୟାର ଇଣ୍ଡିଆ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଛି।

ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଉଭୟ ବିମାନକୁ ଗ୍ରାଉଣ୍ଡ କରାଯାଇ ଯାନ୍ତ୍ରିକ ପରୀକ୍ଷା କରାଯାଉଛି।

Share