ଭାରତ ବିରୋଧରେ ବିଷ ଓଗାଳିଲେ ମହମ୍ମଦ ୟୁନୁସ: ପାକିସ୍ତାନ ପରେ ବାଂଲାଦେଶ ବି…

ଢାକା,୨୫।୯: ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଗୁରୁବାର ଭାରତ-ବାଂଲାଦେଶ ସମ୍ପର୍କ ଉପରେ ଏକ ମହମ୍ମଦ ୟୁନୁସ ଦେଇଛନ୍ତି। ସେ କହିଛନ୍ତି, ଭାରତ ଏବଂ ବାଂଲାଦେଶ ମଧ୍ୟରେ ବର୍ତ୍ତମାନ ସମସ୍ୟା ରହିଛି। କାରଣ ସେମାନେ ଗତ ବର୍ଷର ଛାତ୍ର ପ୍ରତିବାଦକୁ ପସନ୍ଦ କରି ନ ଥିଲେ। ସେ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (ସାର୍କ)କୁ ପୁନଃ ସକ୍ରିୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ ବାଂଲାଦେଶ ଆଞ୍ଚଳିକ ବାଣିଜ୍ୟ ଏବଂ ସାମୁଦ୍ରିକ ପ୍ରବେଶ ପାଇଁ ଏକ ସେତୁ ଭାବରେ କାର୍ଯ୍ୟ କରିବ।

ମହମ୍ମଦ ୟୁନୁସ ନ୍ୟୁୟର୍କରେ କହିଛନ୍ତି, ନୂଆଦିଲ୍ଲୀ ସହିତ ଢାକାର ସମ୍ପର୍କ ତିକ୍ତ ହୋଇଛି। କାରଣ ଭାରତ ଗତ ବର୍ଷର ଛାତ୍ର ପ୍ରତିବାଦକୁ ପସନ୍ଦ କରି ନ ଥିଲା, ଯାହା ଶେଖ ହାସିନାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା। ସେମାନେ (ଭାରତ) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମଧ୍ୟ ଆତିଥ୍ୟ ଦେଉଛନ୍ତି, ଯିଏ ଆମ ଦେଶରେ ଅନେକ ସମସ୍ୟାର କାରଣ।

ବାଂଲାଦେଶରେ ଗତ ବର୍ଷର ହିଂସାତ୍ମକ ଛାତ୍ର ପ୍ରତିବାଦ ପରେ ଶେଖ ହାସିନା ଭାରତ ପଳାଇ ଆସିଥିଲେ। ମହମ୍ମଦ ୟୁନୁସ ଅଭିଯୋଗ କରିଛନ୍ତି। ଭାରତୀୟ ଗଣମାଧ୍ୟମ ଆନ୍ଦୋଳନ ବିଷୟରେ ମିଥ୍ୟା ରିପୋର୍ଟ ପ୍ରକାଶ କରିଛି। ଏହା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ସେ କହିଛନ୍ତି, ଏହା ଆମକୁ ଇସଲାମବାଦୀ ଏବଂ ତାଲିବାନ ଭାବରେ ଚିତ୍ରଣ କରିବା ଭଳି ପ୍ରଚାର। ସେମାନେ ମୋତେ ତାଲିବାନ ମୁଖ୍ୟ ବୋଲି କୁହନ୍ତି।

ନୂଆଦିଲ୍ଲୀ ଅନେକ ଥର ପଡ଼ୋଶୀ ଦେଶରେ ବଢ଼ୁଥିବା ଭାରତ ବିରୋଧୀ ବୟାନବାଜି ଏବଂ ଭାରତର ଉତ୍ତର-ପୂର୍ବ ଅଞ୍ଚଳକୁ ମିଶାଇବା ଧମକ ପାଇଁ ବାଂଲାଦେଶ ବିରୋଧରେ କଡ଼ା ପ୍ରତିଶୋଧ ନେଇଛି। ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ଉପରେ ଭାରତ ମଧ୍ୟ ଚିନ୍ତା ପ୍ରକାଶ କରିଛି।

ମହମ୍ମଦ ୟୁନୁସ ସାର୍କ ସଂଗଠନର ନିଷ୍କ୍ରିୟତା ପାଇଁ ଭାରତକୁ ଦାୟୀ କରିଛନ୍ତି। ସେ କହିଛନ୍ତି,୮ଟି ଦେଶର ଏହି ଗୋଷ୍ଠୀ ଗତ ଦଶନ୍ଧି ଧରି ନିଷ୍କ୍ରିୟ ରହିଛି। ଭାରତକୁ ଇଙ୍ଗିତ କରି ସେ କହିଛନ୍ତ, ସାର୍କ କାର୍ଯ୍ୟ କରିବାକୁ ଅକ୍ଷମ କାରଣ ଏହି ଗୋଷ୍ଠୀ ଗୋଟିଏ ଦେଶର ରାଜନୀତିରେ ଫିଟ ହୁଏ ନାହିଁ। ପାକିସ୍ତାନ ମଧ୍ୟ ସମାନ ଭାବରେ ସାର୍କକୁ ସକ୍ରିୟ କରିବାକୁ ଆହ୍ବାନ କରୁଛି।

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ କହିଛନ୍ତି, ସାର୍କ ହେଉଛି ୟୁରୋପୀୟ ସଂଘ ପରି ଏକ ଚମତ୍କାର ସଂଗଠନ। ଆମର ପଡ଼ୋଶୀମାନେ ହସ୍ତକ୍ଷେପ କରିବା ଉଚିତ୍‌ ନୁହେଁ। ସାର୍କର ପ୍ରକୃତ ଅର୍ଥ ହେଉଛି,ଆପଣ ଆମ ଦେଶରେ ନିବେଶ କରନ୍ତୁ, ଏବଂ ଆମେ ଆପଣଙ୍କ ଅଞ୍ଚଳରେ ନିବେଶ କରିବୁ। ଏହିପରି ସାର୍କ କାମ କରେ। ସେ ପୁଣି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଉଲ୍ଲେଖ କରି କହିଥିଲେ, ଭାରତର ୭ଟି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୁଦ୍ରରେ ପ୍ରବେଶ କରିପାରୁନାହିଁ।