ରାତିରେ ଗାଁ ଶ୍ମଶାନକୁ ଦାଦାଙ୍କ ପାଇଁ ନେଇଥିଲେ ଖାଇବା,  ସକାଳେ ସ୍ତ୍ରୀ ଯାହା ଦେଖିଲେ…

ବନ୍ତଳା,୨୭।୯(ମାନସ ବିଶ୍ୱାଳ): ପୁତୁରାଙ୍କୁ  ପିଟିପିଟି ମାରିଲେ ଦାଦା। ଏଭଳି ଘଟଣା ଘଟିଛି ଅନୁଗୋଳ ବ୍ଲକ ଇଙ୍କର ବନ୍ଧ ପଞ୍ଚାୟତ ବଡ଼କଞ୍ଜନୀ ଗାଁରେ। ସବୁଦିନ ଭଳି ଶୁକ୍ରବାର ପୁତୁରା ଭାତ ମାଂସ ନେଇ ଖାଇବାକୁ ଦାଦାକୁ ଦେଇଥିବା ବେଳେ ପୁତୁରାକୁ ବାଉଁଶ ଠେଙ୍ଗାରେ ପିଟି ପିଟି ମାରି ଦେଇଥିବା ଜଣା ପଡିଛି।
ମିଳିଥିବା ସୂଚନା ଅନୁସାରେ, ବଡ଼କଞ୍ଜନୀ ଗାଁର ବସନ୍ତ କମାର ଦାସ ଜଣେ  ମାନସିକ ରୋଗୀ, ସେ ଗାଁ ଶ୍ମଶାନରେ ସବୁଦିନ ରୁହନ୍ତି । ଦୈନିକ ପରିବାର ଲୋକେ ତାଙ୍କ ପାଇଁ ଖାଦ୍ୟ ନେଇ ଶ୍ମଶାନରେ ଦେଇଆସୁଥିଲେ। ସବୁଦିନ ପରି ଶୁକ୍ରବାର ରାତି ୧୦ଟାରେ ପୁତୁରା ସୁଦର୍ଶନ ଦାସ ଶ୍ମଶାନକୁ ଖାଦ୍ୟ ନେଇ ଯାଇଥିଲେ। ତେବେ ସୁଦର୍ଶନ ରାତିରେ ଘରକୁ ଆଉ ଫେରି ନ ଥିଲେ। ସକାଳେ ସୁଦର୍ଶନଙ୍କ ସ୍ତ୍ରୀ ଖୋଜିବା ପାଇଁ ଶ୍ମଶାନ ଆଡ଼େ ଯାଇ ସୁଦର୍ଶନଙ୍କ ମୃତଦେ ଦେଖିବାକୁ ପାଇଲେ। ଏନେଇ ଆଖପାଖରେ ଥିବା କିଛି ଗ୍ରାମ ବାସୀଙ୍କ ସହାୟତାରେ ପ୍ରଥମେ ଦାଦା ବସନ୍ତକୁ ବାନ୍ଧି ଦେଇଥିଲେ।ପରେ ସୁଦର୍ଶନ କିପରି ଓ  କାହିଁକି ସେଠାରେ ମରି ପଡିଛି ବୋଲି ଗ୍ରାମବାସୀ ମାନେ ପଚାରିଥିଲେ। ପରେ ଦାଦା ବସନ୍ତ କହିଥିଲେ ମୁଁ ତାକୁ ଠେଙ୍ଗାରେ ପିଟି ପିଟି ମାରି ପ୍ରାୟ ୨୦୦ମି. ଦୂରରେ ନେଇ ଫିଙ୍ଗି ଦେଇଛି। ଗ୍ରାମବାସୀ ଅନୁଗୋଳ ସଦର ଥାନାକୁ ଖବର ଦେଇଥିଲେ । ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତନାଘନା ଆରମ୍ଭ କରିଛି ।