CSKରୁ ବିଦା, MIରେ ଏଣ୍ଟ୍ରି? ଆଇପିଏଲ୍‌ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ଫଟୋକୁ ନେଇ…

ନୂଆଦିଲ୍ଲୀ,୭।୧୦: କ୍ରିକେଟ ଜଗତର ସବୁଠାରୁ ଲୋକପ୍ରିୟ ଖେଳାଳିମାନଙ୍କ ମଧ୍ୟରୁ ଜଣେ ହେଲେ ମହେନ୍ଦ୍ର ସିଂହ ଧୋନୀ। ସୋସିଆଲ ମିଡିଆରେ ସେ କମ ଆକ୍ଟିଭ। ଏମିତିରେ ତାଙ୍କର ଏକ ଫଟୋ ଏବେ ବେଶ ଭାଇରାଲ ହେଉଛି, ଯାହା ଚେନ୍ନାଇ ସୁପର୍‌ କିଙ୍ଗ୍ସର ପ୍ରଶଂସକଙ୍କର ଚିନ୍ତା ବଢ଼ାଇ ଦେଇଛି। ଧୋନୀ ଆଇପିଏଲ ୨୦୨୬ରେ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହି ଫୋଟୋ ଗୁଜବ ବଜାରକୁ ସରଗରମ କରି ଦେଇଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଧୋନୀଙ୍କ ଫୋଟୋଟି ଏକ ଫୁଟବଲ ମ୍ୟାଚ ସମୟରେ ନିଆଯାଇଛି। ଯେଉଁଥିରେ ଧୋନୀ ଯେଉଁ ଜର୍ସିରେ ନଜର ଆସିଛନ୍ତି, ସେଥିରେ ମୁମ୍ବାଇ ଇଣ୍ଡିୟାନ୍ସର ଲୋଗୋ ଅଛି। ଏହା ପ୍ରଶଂସକଙ୍କ ନିଦ ହଜାଇଛି। କିଛି ପ୍ରଶଂସକ ଫଟୋକୁ ଦେଖି ଚେନ୍ନାଇ ଛାଡ଼ି ଧୋନୀ ମୁମ୍ବାଇ ଯାଇପାରନ୍ତି ବୋଲି କହୁଥିବା ଦେଖାଯାଉଛି। ହେଲେ ଆଇପିଏଲ କ୍ୟାରିଅର୍‌ ବିଷୟରେ କହିଲେ ସେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ଖେଳିଛନ୍ତି ଏବଂ ମୁମ୍ବାଇ ଇଣ୍ଡିୟାନ୍ସ ସିଏସ୍‌କେର ଚିର-ପ୍ରତିଦ୍ୱନ୍ଦ୍ୱୀ। ଏହି ଜର୍ସିରେ ଧୋନିଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ନୀଳ ରଙ୍ଗର ଏହି ଜର୍ସିରେ ଏମ୍‌ଆଇର ଲୋଗୋ ସ୍ପଷ୍ଟ ଦେଖାଯାଉଛି, ଯାହା ଧୋନୀଙ୍କ ସିଏସ୍‌କେ ୟୁନିଫର୍ମଠାରୁ ପୂରା ଭିନ୍ନ। ଧୋନୀଙ୍କୁ ସର୍ବଦା ସିଏସ୍‌କେ ମୁହଁ ବୋଲି ଗଣାଯାଏ। ଏମିତିରେ ତାଙ୍କ ଫଟୋ ଗୁଜବ ନିଆଁରେ ଘିଅ ଢ଼ାଳିଛି। ତେବେ ଏପର୍ଯ୍ୟନ୍ତ ନ ଧୋନିଙ୍କ ପକ୍ଷରୁ  କିମ୍ବା ସିଏସ୍‌କେ-ଏମଆଇ ମ୍ୟାନେଜମେଣ୍ଟଠାରୁ ଏହି ଫୋଟୋ ବିଷୟରେ କୌଣସି ସ୍ପଷ୍ଟୀକରଣ ଆସିନାହିଁ।
ଧୋନି ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ତା’ପରଠାରୁ ପ୍ରତ୍ୟେକ ବର୍ଷ ଆଇପିଏଲ୍‌ରୁ ମଧ୍ୟ ସନ୍ନ୍ୟାସ ନେବେ ବୋଲି ଅନୁମାନ କରାଯାଏ। ଗତ ସିଜନ୍‌ରେ ସେ ଅନ୍‌ କ୍ୟାପ୍ଡ ଖେଳାଳି ଭାବେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ଖେଳିଥିଲେ। କିନ୍ତୁ ବର୍ତ୍ତମାନ ଆଇପିଏଲ ୨୦୨୬ରୁ ପୂର୍ବରୁ ୪୪ ବର୍ଷୀୟ ଧୋନୀ ପରବର୍ତ୍ତୀ ସିଜନ୍‌ରେ ଖେଳିବେ କି ନାହିଁ ଏହା ସ୍ପଷ୍ଟ ନାହିଁ। ସେ ଡିସେମ୍ବର ଭିତରେ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଇଛି।
Dharitri – Odisha’s No.1 Trusted Odia Daily