Categories: Home Leftଖେଳ

Video: ପୁଣି ଦୋହରାଇଲେ ଧୋନି, କହିଲେ କେବେ ନେବେ ଅବସର

ନୂଆଦିଲ୍ଲୀ,୭।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଏମଏସ ଧୋନିଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ, ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଏହି ଆଇକନ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଏହି ଫ୍ରାଞ୍ଚାଇଜି ସହ ବନ୍ଧନ କେବଳ କ୍ରିକେଟ ଖେଳ ସୀମିତ ନୁହେ।

ଚେନ୍ନାଇରେ ଶନିବାର ଏକ ଘରୋଇ କାର୍ଯ୍ୟକ୍ରମରେ ଭାଷଣ ଦେଇ ପୂର୍ବତନ ଭାରତୀୟ ଅଧିନାୟକ ଧୋନି ପ୍ରଶଂସକଙ୍କୁ ଆଶ୍ବସ୍ତ କରିଛନ୍ତି ଯେ ତାଙ୍କ ଖେଳ ଜୀବନରେ ଭବିଷ୍ୟତ ଯାହା ହେଉନା କାହିଁକି, ସିଏସକେ ପ୍ରତି ତାଙ୍କର ପ୍ରେମ ଅବିଚ୍ଛେଦ୍ୟ।

“ଧୋନି ବିନା ସିଏସକେ ନାହିଁ” ବୋଲି ପ୍ରଶଂସକଙ୍କ ମଧ୍ୟରେ ପ୍ରଚଳିତ କଥାକୁ ଧୋନି ନିଜେ ମଧ୍ୟ ପୁଷ୍ଟି କରିଛନ୍ତି। ୪୪ ବର୍ଷୀୟ ଧୋନି କହିଛନ୍ତି, “ମୁଁ ସବୁବେଳେ କହି ଆସୁଛି ଯେ ନିଷ୍ପତ୍ତି ନେବା ପାଇଁ ମୋ ପାଖରେ ଅନେକ ସମୟ ଅଛି। କିନ୍ତୁ ଯଦି ଆପଣ ମୋତେ ହଳଦିଆ ଜର୍ସିରେ ଫେରିବା ବିଷୟରେ ପଚାରୁଛନ୍ତି, ତେବେ ମୁଁ କହିବି ଯେ ମୁଁ ଖେଳୁଛି କି ନାହିଁ, ତାହା ଅଲଗା କଥା, କିନ୍ତୁ ଆମେ ସବୁବେଳେ ହଳଦିଆ ଜର୍ସିରେ ରହିବୁ। ମୁଁ ଓ ସିଏସକେ ଏକାଠି, ଆଗାମୀ ୧୫-୨୦ ବର୍ଷ ପାଇଁ ମଧ୍ୟ।”

୨୦୦୮ରେ ଆଇପିଏଲର ଆରମ୍ଭରୁ ସିଏସକେର ମୁଖ୍ୟ ଚେହେରା ରହି ଆସିଥିବା ଧୋନି ୨୦୨୫ ସିଜନରେ ପୁଣି ଥରେ ଦଳର ନେତୃତ୍ବ ନେଇଥିଲେ। ପ୍ରାରମ୍ଭରେ ରୁତୁରାଜ ଗାୟକୱାଡ଼ଙ୍କୁ ଅଧିନାୟକତ୍ବ ହସ୍ତାନ୍ତର କରିଥିଲେ ମଧ୍ୟ, ଗାୟକୱାଡ଼ଙ୍କ କାନ୍ଦ ଆଘାତ ଯୋଗୁଁ ସିଜନ ମଝିରେ ଧୋନି ପୁଣି ଅଧିନାୟକତ୍ବ ଗ୍ରହଣ କରିଥିଲେ।

କିନ୍ତୁ ୨୦୨୫ ସିଜନ ପାଞ୍ଚଥର ଚାମ୍ପିଅନ ସିଏସକେ ପାଇଁ ଭୁଲିବା ଭଳି ଥିଲା। ୧୪ଟି ମ୍ୟାଚରୁ ମାତ୍ର ୪ଟିରେ ଜିତି ଦଳ ତାଲିକାର ତଳେ ରହିଥିଲା, ଯାହା ଆଇପିଏଲ ଇତିହାସରେ ସିଏସକେର ସବୁଠାରୁ ଖରାପ ପ୍ରଦର୍ଶନ ମଧ୍ୟରୁ ଗୋଟିଏ। ତଥାପି, ଧୋନିଙ୍କ ଉପସ୍ଥିତି ପ୍ରଶଂସକ ଓ ଖେଳାଳିଙ୍କ ମଧ୍ୟରେ ଅବିଚ୍ଛିନ୍ନ ସମର୍ଥନ ଲାଭ କରିଛି। ଗତ କିଛି ସିଜନ ଧରି ଧୋନିଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି।

୨୦୨୪ ଆଇପିଏଲ ପରେ ସେ ଅବସର ନେବେ ବୋଲି ଅନେକେ ଆଶା କରିଥିଲେ। କିନ୍ତୁ ଆଣ୍ଠୁ ଆଘାତରୁ ସୁସ୍ଥ ହୋଇ ଧୋନି ୨୦୨୫ରେ ପୁଣି ହଳଦିଆ ଜର୍ସିରେ ଫେରିଥିଲେ। ଆଇପିଏଲ ୨୦୨୬ରେ ଧୋନି ଖେଳିବେ କି ନାହିଁ, ତାହା ସେ ସ୍ପଷ୍ଟ କରି ନାହାନ୍ତି। ତେବେ ସେ ରୁତୁରାଜ ଗାୟକୱାଡ଼ଙ୍କୁ ପୁଣି ଅଧିନାୟକ ଭାବେ ଫେରିବା ପାଇଁ ସମର୍ଥନ ଜଣାଇଛନ୍ତି।