ନୂଆଦିଲ୍ଲୀ,୩୦।୮: ୨୦୧୧ରେ ୨୮ ବର୍ଷ ପରେ ଟିମ୍ ଇଣ୍ଡିଆ ଦିନିକିଆ ବିଶ୍ୱକପ ଜିତିଥିଲା। ଏହି ବିଜୟରେ ସବୁଠାରୁ ବଡ଼ ଭୂମିକା ଥିଲା ଏମ୍ଏସ୍ ଧୋନୀ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ। ଏହି ଯୋଡ଼ି ଟିମ ଇଣ୍ଡିଆର ବର୍ଷ ବର୍ଷର ଅପେକ୍ଷାକୁ ଶେଷ କରିଥିଲା। ଏବେ ବହୁ ବର୍ଷ ପରେ ଏହି ଦୁଇ ଭେଟେରାନ ପୁଣି ଥରେ ଟିମ୍ ଇଣ୍ଡିଆକୁ ଚାମ୍ପିଅନ କରିବା ପାଇଁ ଏକତ୍ରିତ ହୋଇପାରନ୍ତି, ଯଦି ବିସିସିଆଇର ଏହି ଯୋଜନା ସଫଳ ହୁଏ। ବର୍ତ୍ତମାନ ଟିମ୍ ଇଣ୍ଡିଆର ଧ୍ୟାନ ଏସିଆ କପ୍ ଉପରେ ଥାଇପାରେ, କିନ୍ତୁ ବିସିସିଆଇ ୨୦୨୬ ଟି-୨୦ ବିଶ୍ୱକପର ପ୍ରସ୍ତୁତି ଆରମ୍ଭ କରିଦେଇଛି। ୨୦୨୬ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଏସିଆ କପ୍ ଏଥର ଟି-୨୦ ଫର୍ମାଟରେ ଖେଳାଯିବ। ଆଗାମୀ ବର୍ଷ ଖେଳାଯିବା ଏହି ଟୁର୍ନାମେଣ୍ଟ ପୂର୍ବରୁ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକାଠି କାମ କରିବାର ସମ୍ଭାବନା ରହିଛି।
ମିଡିଆ ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ମେଣ୍ଟର ହେବାକୁ ପ୍ରସ୍ତାବ ଦେଇଛି। ଧୋନୀ ୨୦୨୧ରେ ଆୟୋଜିତ ଟି-୨୦ ବିଶ୍ୱକପରେ ମେଣ୍ଟର ଭୂମିକା ନିଭାଇଥିଲେ, କିନ୍ତୁ ସେତେବେଳେ ଟିମ ଇଣ୍ଡିଆର ପ୍ରଦର୍ଶନ ଖରାପ ଥିଲା ଓ ଦଳ ଗ୍ରୁପ ଷ୍ଟେଜ୍ରୁ ବାହାରି ଯାଇଥିଲା।
କ୍ରିକବ୍ଲଗର ରିପୋର୍ଟ ଅନୁଯାୟୀ, ବିସିସିଆଇର ଜଣେ ସୂତ୍ର ନିଶ୍ଚିତ କରିଛନ୍ତି ଯେ ଧୋନୀଙ୍କୁ ଏହି ପଦ ପ୍ରଦାନ କରାଯାଇପାରେ। ସେ ପୁଣି ଥରେ ଭାରତୀୟ କ୍ରିକେଟକୁ ମାର୍ଗଦର୍ଶନ କରିବାକୁ ପ୍ରସ୍ତାବ ଦିଆଯାଇଛି। ବୋର୍ଡ ମନେ କରୁଛି ଯେ ତାଙ୍କର ରଣନୀତିକ ଚିନ୍ତାଧାରା, ଶାନ୍ତ ନେତୃତ୍ୱ କ୍ଷମତା ଓ ଟୁର୍ନାମେଣ୍ଟ ଜିତିବାର ଅଭିଜ୍ଞତା ଦଳକୁ ଆଉ ଏକ ବିଶ୍ୱ ଟାଇଟଲ ଜିତିବା ପାଇଁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ। ତେବେ ପ୍ରଶ୍ନ ହେଉଛି, ଧୋନୀ ଏହି ପ୍ରସ୍ତାବକୁ ଗ୍ରହଣ କରିବେ କି ନାହିଁ।
ଗମ୍ଭୀର-ଧୋନୀଙ୍କୁ ଏକାଠି ଆଣିବ ବିସିସିଆଇ?
ଗୌତମ ଗମ୍ଭୀର ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ କୋଚ ଅଛନ୍ତି। ଯଦି ଧୋନୀ ମେଣ୍ଟର ହୁଅନ୍ତି, ତେବେ ଏହି ଦୁଇ ଭେଟେରାନଙ୍କୁ ଏକାଠି କାମ କରିବାକୁ ପଡ଼ିବ। ତେବେ ବିଗତ କିଛି ବର୍ଷରେ ଏହି ଦୁଇ ଭେଟେରାନଙ୍କ ସମ୍ପର୍କରେ ତିକ୍ତତାର ଖବର ଆସିଛି, ବିଶେଷକରି ଗମ୍ଭୀରଙ୍କ ବୟାନବାଜୀ ଯୋଗୁ। ସେ ଅନେକ ଥର ଧୋନୀଙ୍କ ବିରୋଧରେ ବୟାନ ଦେଇଛନ୍ତି। ତଥାପି ମଇଦାନରେ ଧୋନୀ ଓ ଗମ୍ଭୀର ସବୁବେଳେ ପରସ୍ପରକୁ ସମ୍ମାନ ଦେଖାଇଛନ୍ତି।