ପୁଣି ଅଧିନାୟକ ହେବେ ଏମ୍‌ ଏସ୍‌ ଧୋନୀ, IPL ୨୦୨୫ ମଝିରେ CSKର ବଡ଼ ନିଷ୍ପତ୍ତି!

ନୂଆଦିଲ୍ଲୀ,୪।୪: ପାଞ୍ଚ ଥରର ଆଇପିଏଲ୍‌ ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ ସିଜନରେ ଖରାପ ପ୍ରଦର୍ଶନ କରି ଆସୁଛି। ଋତୁରାଜ ଗାୟକଓ୍ବାଡ୍‌ଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପ୍ରଥମ ୩ ମ୍ୟାଚ୍‌ରୁ ୨ରେ ପରାଜୟର ସମ୍ମୁଖୀନ ହୋଇଛି। ଏମିତିରେ ଆଗାମୀ ମ୍ୟାଚ୍‌ଗୁଡ଼ିକ ଜିତିବା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ହେଲେ ଆଗାମୀ ମ୍ୟାଚ୍‌ ପୂର୍ବରୁ ଦଳରେ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। ସେଇଟି ହେଲା ମହେନ୍ଦ୍ର ସିଂହ ଧୋନୀ ଚେନ୍ନାଇର ଅଧିନାୟକ ହୋଇପାରନ୍ତି। ଋତୁରାଜ ଗାଏକଓ୍ବାଡଙ୍କୁ ଆଘାତ ଲାଗିବା ଏହା ପଛର କାରଣ ବୋଲି ଜଣାପଡ଼ିଛି।

ଗତ ବର୍ଷ ଚେନ୍ନାଇର ଅଧିନାୟକ ପଦ ଛାଡ଼ିଥିବା ଧୋନୀ ୧୭ ମ୍ୟାଚ୍‌ ପରେ ପୁଣିଥରେ ଦଳର ମଙ୍ଗ ସମ୍ଭାଳିବେ। ଶନିବାର ଏପ୍ରିଲ ୫ରେ ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ରେ ଋତୁରାଜ ଫିଟ୍‌ନେସ୍‌ ସମସ୍ୟା ଦେଇ ଗତି କରୁଥିବାରୁ ଖେଳିବା କଷ୍ଟକର ବୋଲି କୁହାଯାଉଛି।

ମ୍ୟାଚ୍‌ର ଦିନକ ପୂର୍ବରୁ ଚେନ୍ନାଇର ବ୍ୟାଟିଂ କୋଚ୍‌ ମାଇକେଲ ହସି ଏହାର ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ ଋତୁରାଜଙ୍କ କହୁଣୀରେ ଯନ୍ତ୍ରଣା ହେଉଛି। ଶୁକ୍ରବାର ଅପରାହ୍ନରେ ଅଭ୍ୟାସ ସମୟରେ ସେ ବ୍ୟାଟିଂ କରିବେ। ଏହାପରେ ତାଙ୍କ ଖେଳିବା ନ ଖେଳିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।