କେସିଙ୍ଗା,୧୨ା୮(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିର ୱାର୍ଡ ନମ୍ବର ୧ରେ ହୋଇଥିବା ଉନ୍ନୟନ କାର୍ଯ୍ୟ ନିମ୍ନମାନର ନେଇ ୪ଜଣ କାଉନ୍ସିଲର ଜିଲାପାଳ ଓ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି। ବଗାଡ଼ ଗ୍ରାମରେ ୩୫,୩୧,୪୬୭ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା କଂସେଇଖାନା ଓ ମାର୍କେଟ କମ୍ପ୍ଲେକ୍ସର ଶୁଭ ଉଦ୍ଘାଟନ ଆସନ୍ତା ୩୧ ତାରିଖରେ କରାଯିବା ନେଇ ଏନ୍ଏସି ପକ୍ଷରୁ ଧାର୍ଯ୍ୟ ହୋଇଛି। ହେଲେ ଏହା ପୂର୍ବରୁ କାଉନସିଲରଙ୍କ ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି। ସୂଚନା ଅନୁସାରେ ଉକ୍ତ ଉନ୍ନୟନ କାର୍ଯ୍ୟ ମଞ୍ଜୁରୀ ପାଇଁ କାଉନସିଲ ବୈଠକରେ ଉକ୍ତ ୪ ଜଣ କାଉନସିଲର ଦସ୍ତଖତ କରିଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କୁ ପଚାରିବାରୁ ୪ଜଣ କାଉନ୍ସିଲର କରିଥିବା ଅଭିଯୋଗ ଭିତ୍ତିହୀନ ଓ ତାହାର କୌଣସି ସତ୍ୟତା ନାହିଁ। ଚଳିତ ମାସ ୩୧ ତାରିଖରେ ଉଦ୍ଘାଟନ ହେବାକୁ ଥିବା କଂସେଇଖାନା ଓ ମାର୍କେଟ କମ୍ପ୍ଲେକ୍ସକୁ ବିରୋଧ କରି ମୋତେ ବଦ୍ନାମ କରିବାକୁ ଚେଷ୍ଟା କରୁଛନ୍ତି। ସବୁପ୍ରକାର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ।