୬୦% ଭାରତୀୟ କର୍ମଚାରୀଙ୍କୁ ଛଟେଇ କରିବ MPL

ନୂଆଦିଲ୍ଲୀ,୧ା୯: ଭାରତ ସରକାର ପେଡ୍‌ ଗେମ୍‌ଗୁଡ଼ିକୁ ନିଷିଦ୍ଧ କରିବା ପରେ ଇଣ୍ଡିଆନ୍‌ ଅନ୍‌ଲାଇନ ଗେମିଂ ଆପ୍‌ ମୋବାଇଲ୍‌ ପ୍ରିମିୟର ଲିଗ୍‌ (ଏମ୍‌ପିଏଲ୍‌) ଏହାର ୬୦ ପ୍ରତିଶତ ସ୍ଥାନୀୟ କର୍ମଚାରୀଙ୍କୁ ଛଟେଇ କରିବା ନିମନ୍ତେ ନିଷ୍ପତ୍ତି ନେଇଛି। ଅନ୍‌ଲାଇନ୍‌ ପେଡ୍‌ ଗେମିଂ ଆପ୍‌ ଯୋଗୁ ଯୁବବର୍ଗ ବିପୁଳ ଟଙ୍କା ହରାଉଥିବାରୁ ସେଗୁଡ଼ିକୁ ବ୍ୟାନ୍‌ କରିବା ପାଇଁ ଅଗଷ୍ଟ ମାସରେ କେନ୍ଦ୍ର ସରକାର ନୂଆ ଆଇନ ଆଣିଥିଲେ। ଫଳରେ ପେଡ୍‌ ଫାଣ୍ଟାସି କ୍ରିକେଟ, ରୁମି ଏବଂ ପୋକର ଗେମ୍ସ ଭଳି ବହୁ ଗେମିଂ ଆପ୍‌ ବନ୍ଦ ହେବାକୁ ଯାଉଛି। ଷ୍ଟାର୍ଟଅପ୍‌ କମ୍ପାନୀ ଓ ନୂଆ ବ୍ୟବସାୟିକ ସଂସ୍ଥାକୁ ପାଣ୍ଠି ଯୋଗାଉଥିବା ଟାଇଗର ଗ୍ଲୋବାଲ ଏବଂ ପିକ୍‌ ଏକ୍ସଭି ପାର୍ଟନର୍ସ ଭଳି ପୁଞ୍ଜି ଲଗାଣକାରୀ ସଂସ୍ଥା ସହାୟତାରେ ଚାଲିଥିବା ଏହି ଭାରତୀୟ ଶିଳ୍ପକୁ ବଡ଼ ଝଟକା ଲାଗିଛି। ୨୦୨୯ ସୁଦ୍ଧା ଗେମିଂ ଶିଳ୍ପର କାରବାର ୩.୬ ବିଲିୟନ ଡଲାର ପହଞ୍ଚତ୍ବା ଅନୁମାନ କରାଯାଉଥିଲା। ପେଡ୍‌ ଫାଣ୍ଟାସି କ୍ରିକେଟ ଗେମ୍‌ ଜରିଆରେ ବିଜେତାମାନଙ୍କୁ ଆର୍ଥତ୍କ ପୁରସ୍କାର ପ୍ରଦାନ କରୁଥିବା ଏମ୍‌ପିଏଲ୍‌ ଏବଂ ଏହାର ପ୍ରତିଦ୍ୱନ୍ଦ୍ୱୀ ଡ୍ରିମ୍‌ ଇଲେଭେନ୍‌ ବେଶ୍‌ ଲୋକପ୍ରିୟ ହୋଇଥିଲା। ତେବେ ଏଭଳି ଖେଳ ଦକ୍ଷତା ଉପରେ ନିର୍ଭର କରୁଥିବାରୁ ଏହାକୁ ଜୁଆ ଆଖ୍ୟା ଦିଆଯାଇପାରିବ ନାହିଁ ବୋଲି ଗେମିଂ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି। ଏମ୍‌ପିଏଲ୍‌ ବର୍ତ୍ତମାନ ଆମେରିକା ବଜାରରେ ବ୍ୟବସାୟକୁ ଗୁରୁତ୍ୱ ଦେଉଥିବାରୁ ଭାରତରେ ଥିବା ଏହାର ୫୦୦ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ ଜଣଙ୍କୁ ଛଟେଇ କରିବ ବୋଲି ରବିବାର କମ୍ପାନୀ ସୂତ୍ରରୁ କୁହାଯାଇଛି।