ଲୋୟର ସୁକତେଲ ଡ଼୍ୟାମ ସମୀକ୍ଷା କଲେ ଏମ୍‌ପି ସଙ୍ଗୀତା ସିଂଦେଓ

ବଲାଙ୍ଗୀର,୧୦।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋକସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଶୁକ୍ରବାର ଲୋୟର ସୁକତେଲ ଡ଼୍ୟାମ ପରିଦର୍ଶନ କରିବା ସହ ପ୍ରକଳ୍ପ ସମୀକ୍ଷା କରିଥିଲେ। ଆସନ୍ତା ଖରିଫ ଋତୁରେ ଏହି ଡ଼୍ୟାମରୁ ଚାଷଜମିକୁ ପାଣି ଦିଆଯିବ। ସେଥିପାଇଁ ଡ଼୍ୟାମରେ ଚାଲିଥିବା ଆନୁସଙ୍ଗିକ ଉନ୍ନୟନ କାର୍ଯ୍ୟ କିଭଳି ତ୍ୱରାନ୍ବିତ ହେବ ସେ ଉପରେ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ଭୋଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପ ଯୋଗୁ ବିସ୍ଥାପିତ ହୋଇଥିବା ଲୋକେ ପୁନର୍ବାସ ଓ ଥଇଥାନ, କ୍ଷତିପୂରଣ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଚାଷୀଙ୍କ ଜମିକୁ ଏହି ପ୍ରକଳ୍ପରୁ ପାଣି ଲାଗିବା ପୂର୍ବରୁ ବିସ୍ଥାପିତଙ୍କ ସମସ୍ତ ସମସ୍ୟାର ସମାଧାନ ହେବା ଜରୁରୀ ବୋଲି ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏମ୍‌ପିଙ୍କ ଲୋୟର ଶୁକତେଲ ଡ୍ୟାମ ପରିଦର୍ଶନ କାର୍ଯ୍ୟକ୍ରମରେ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ଭୋଇ ଓ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିବାବେଳେ ଭାଜପା ଜିଲା ସଭାପତି ଶ୍ରୀବତ୍ସ ସାହୁ, ଭାଜପା ନେତା ଗୋପାଳଜୀ ପାଣିଗ୍ରାହି ଓ ଦିନେଶ ଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

 

Dharitri – Odisha’s No.1, Most Trusted Odia Daily