ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ କରିବାକୁ ଏମ୍‌ପିଙ୍କ ପ୍ରତିଶ୍ରୁତି

ଥୁଆମୂଳ ରାମପୁର,୬ା୧୦(ଦୁର୍ଗା କୀର୍ତ୍ତି): ଭାରତୀୟ ଜନତା ପାର୍ଟିର କଳାହାଣ୍ଡି ଜିଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର
ବ୍ଲକ ଅନ୍ତର୍ଗତ ବିରିକୋଟଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ ରାଜ୍ୟର ମୋହନ ମାଝୀ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଅନୁପ୍ରାଣୀତ ହୋଇ ଥୁଆମୂଳ ରାମପୁର ବ୍ଲକର ବିଜେଡି ଏସ୍‌ସି ସେଲ୍‌ ପୂର୍ବତନ ସଭାପତି ସଞ୍ଜୟ ନାଏକ, ବରିଷ୍ଠ କଂଗ୍ରେସ ନେତା ସଦା ନାଏକ, ଯୁବ କଂଗ୍ରେସ ନେତା ଉମାଶଙ୍କର ନାଏକଙ୍କ ସହ ଶତାଧିକ ବିଜେଡି କଂଗ୍ରେସ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ପୂର୍ବତନ ଏମ୍‌ପି ଅର୍କ କେଶରୀ ଦେଓ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ ଉପସ୍ଥିତ ରହି ନୂତନ ଭାବରେ ଦଳରେ ଯୋଗଦେଇଥିବା ନେତା ଓ କର୍ମୀଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ଏମ୍‌ପି ପ୍ରତିନିଧି ପବିତ୍ର ନାଏକ, ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ମଣ୍ଡଳ ସଭାପତି ପୁଷ୍ପ ନାଏକ, ମଣ୍ଡଳ ସଭାପତି ଦୟାନିଧି ଭୋଇ, ସାଧାରଣ ସମ୍ପାଦକ ତପନ ମାଝୀ, ମଣ୍ଡଳ ସାଧାରଣ ସମ୍ପାଦକ ଆଲୋକ କୁମାର ନାଏକ, ସାଧାରଣ ସମ୍ପାଦକ ଚନ୍ଦନ ନାଏକ, ବ୍ଲକ ଭାଜପା ମଣ୍ଡଳର ଉପସଭାପତି ରାଧାକୃଷ୍ଣ ନାଏକ ଏବଂ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ କିୟାମଣି ନାଏକ, ଜିଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକଙ୍କ ସମତେ ସହସ୍ରାଧିକ କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।

ଏହି ମିଶ୍ରଶ ପର୍ବ ପରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଯୋଗ ଦେଇ ଅଞ୍ଚଳର ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏକ ମହାପ୍ରୟାଣ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ବିରିକୋଟଠାରେ ଜଗନ୍ନାଥ ସେବାଶ୍ରମ ପକ୍ଷରୁ ଦିଆଯାଇଥିବା କମ୍ବଳଗୁଡ଼ିକୁ ମାନ୍ୟବର ଏମ୍‌ପି ଓ ଜିଲା ସଭାପତି ବଣ୍ଟନ କରିଥିଲେ।

Share