ସଂସଦରେ କିଏ ପିଇଲା ସିଗାରେଟ? ଅନୁରାଗ ଠାକୁରଙ୍କ ବୟାନକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୧୧|୧୨: ଇ-ସିଗାରେଟକୁ ଭାରତ ସରକାର ବ୍ୟାନ କରିଛନ୍ତି । କିନ୍ତୁ ଆଜି ପୁଣିଥରେ ସଂସଦରେ ଏହି ପ୍ରସଙ୍ଗ ଉଠିଛି । ସଦନରେ ଇ-ସିଗାରେଟ ପିଇବା ନେଇ ଭାଜପା ନେତା ଅନୁରାଗ ଠାକୁର ତୃଣମୂଳ କଂଗ୍ରେସ ସାଂସଦ ଉପରେ ଗୁରୁତର ଆରୋପ ଲଗାଇଛନ୍ତି । ଏହାକୁ ନେଇ ଆଜି ସଦନରେ ହଙ୍ଗାମା ଦେଖାଯାଇଛି ।

ପୁଣିଥରେ ଚର୍ଚ୍ଚାକୁ ଆସିଛି ଇ-ସିଗାରେଟ । ପ୍ରକାଶଥାଉକି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଛି ବର୍ଷ ପୂର୍ବେ ଇ-ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ ବ୍ୟବହାର କଲେ ଦଣ୍ଡ ଭୋଗିବାକୁ ପଡିବ ବୋଲି ମଧ୍ୟ ଚେତାଇଥିଲେ । ତେବେ ଆଜିର ଘଟଣାକୁ ନେଇ ବାଚସ୍ପତି କହିଛନ୍ତି ଯଦି ଘଟଣା ସାମ୍ନାକୁ ଆସେ ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅନୁରାଗ ଠାକୁରଙ୍କ ଆରୋପ ଅନୁସାରେ, ଟିଏମସି ସାଂସଦ କିଛି ଦିନ ହେବ ସିଗାରେଟ ପିଇ ଆସୁଛନ୍ତି । କିଏ ପିଇଛି ଆପଣ ଯାଞ୍ଚ କରନ୍ତୁ ବୋଲି ଓମ ବିର୍ଲାଙ୍କୁ କହିଛନ୍ତି । ଏହି ପ୍ରସଙ୍ଗକୁ ନେଇ ସଦନରେ ହଙ୍ଗାମା ଦେଖାଦେବା ପରେ ବିରୋଧୀ ଦଳ ନେତା ମଧ୍ୟ ଏନେଇ ମୁହଁ ଖୋଲିଛନ୍ତି । ଗୋଟିଏ ପଟେ ଇ-ସିଗାରେଟ ଦେଶରେ ପ୍ରତିବନ୍ଧକ ହୋଇଥିବା ବେଳେ ସଦନରେ ଏଭଳି ଘଟଣା ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି ।

ଅନୁରାଗ ଠାକୁରଙ୍କ ସମର୍ଥନରେ ଗିରିରାଜ ସିଂହ- କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଅନୁରାଗ ଠାକୁରଙ୍କ ସମର୍ଥନରେ ବାହାରିଛନ୍ତି । ସେ କହିଛନ୍ତି ଯେ, ଅନୁରାଗ ଠାକୁର ଏପରି ଜଣେ ସଦସ୍ୟ ଯିଏ ପ୍ରକୃତ ପ୍ରମାଣ ସହିତ ହିଁ କୌଣସି ପ୍ରସଙ୍ଗ ଉଠାଇଥାନ୍ତି । ଯଦି ଜଣେ ସଦନରେ ବସି ସିଗାରେଟ ପିଉଛନ୍ତି ଏହାଠାରୁ ଲଜ୍ଜାଜନକ ଘଟଣା ଆଉ କିଛି ନାହିଁ ।

ବିବାଦ ପରେ ଟିଏମସି ସାଂସଦ ଡୋଲା ସେନ ପାଲଟା ଆକ୍ରମଣ କରି କହିଛନ୍ତି, ଯେଉଁମାନଙ୍କର ନଜର ରଖିବା କାମ ସେମାନେ ତାହା ହିଁ କରିବେ । ଅନୁରାଗ ଠାକୁର କୌଣସି ଗୁରୁ ନୁହନ୍ତି ଯେ ତାଙ୍କ କଥା ଆମେ ଶୁଣିବାକୁ ବାଧ୍ୟ ହେବୁ ।

Share